Unknown

 

 

 

 

 

 

 

 

 

ବେଳା ଓ ବୀଚି

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

ଗୋଟିଏ ମତ

 

ଓଳସିଂହରୁ କଟକ, ଭଦ୍ରକ, ଆଠମଲ୍ଲିକ ଇତ୍ୟାଦି ବିଭିନ୍ନ ସ୍ଥାନରେ ମୁଁ କୃଷ୍ଣଚନ୍ଦ୍ରଙ୍କୁ ଦେଖି ସୁଖୀ ହୁଏ । ଅନେକ ସମୟରେ ସେ ଚିନ୍ତାଶୀଳ ବା ତିକ୍ଷଣ୍‍ଣ ଦେଖାଯାନ୍ତି । ସେଟା time spirit ବା ସମୟର ଭୂତ ହୋଇପାରେ । ଯେତେବେଳେ କବି ତ୍ରିପାଠୀଙ୍କୁ ମୁଁ ଦେଖେ, ସେତେବେଳେ ତାଙ୍କ କବିତା ଶୁଣିବାର ସୁଯୋଗ ପାଏ । ସେ ଛାତ୍ର ଜୀବନରୁ କବିତା ଲେଖି ଆସୁଛନ୍ତି !

 

ଅନେକ ତାଙ୍କୁ ଗଳ୍ପ ଲେଖ, ଉପନ୍ୟାସ ଲେଖ, ନାଟକ ଲେଖ ବୋଲି କହିଥାନ୍ତି । କିନ୍ତୁ କୋଇଲି ଯେପରି ଗାଏ ମୟୂର ସେପରି ଗାଏ ନାହିଁ । କିମ୍ବା ମୟୂର ଯେପରି ନାଚେ କୋଇଲି ସେପରି ନାଚେ ନାଇଁ । ଏହା କାମ ସେ କରିପାରିବ ନାହିଁ ବା ତାହା କାମ ଏ କରିପାରିବ ନାହିଁ । ତେଣୁ କୃଷ୍ଣଚନ୍ଦ୍ରଙ୍କୁ ଏପରି ଲେଖ, ସେପରି ଲେଖ କହିବାର ଆବଶ୍ୟକତା କିଛି ନାହିଁ । ସେ କବି, କେବଳ କବି, ସେ ଜୀବନ ସାରା କେବଳ କବିତା ହିଁ ଲେଖିବେ !

 

କବି କୃଷ୍ଣଚନ୍ଦ୍ରଙ୍କର କବିତା ପଢ଼ିଲାବେଳେ ପାଠକକୁ ବହୁ ପଂକ୍ତି ପାଖରେ ରହିଯିବାକୁ ହୁଏ, ଭାବିବାକୁ ପଡ଼େ । ସାମୟିକ ନାନା ଘଟଣାରୁ ଚିରନ୍ତନ ସତ୍ୟ ପ୍ରକାଶ ପାଏ ! ଏହି ଚିରନ୍ତନ ସତ୍ୟ ତାଙ୍କ କବିତାକୁ ଅମରତ୍ୱ ଦାନ କରିଛି–

 

କବି ଗୂଢ଼ବାଦୀ ନୁହନ୍ତି । ତାଙ୍କ ଭାବ ପାଠ ମାତ୍ରେ ସ୍ପଷ୍ଟ ବୁଝାପଡ଼େ । କବି କୃଷ୍ଣଚନ୍ଦ୍ରଙ୍କର ଚିତ୍ତ ସବୁବେଳେ ଅର୍ନ୍ତମୁଖୀ । ଗୋଟିଏ କଥା ମୁଁ ଆମଦେଶର ସବୁ କବିମାନଙ୍କର ଥିବାର ଲକ୍ଷ୍ୟ କରିଚି ସେଟା ହେଉଚି ଦୁଃଖର କଥା, ବେଦନାର କଥା–କବି କୃଷ୍ଣଚନ୍ଦ୍ରଙ୍କର କବିତା ସରସ, ତାହା ଅଶ୍ରୁସିକ୍ତ, ଲବଣାକ୍ତ । ଏହି ଅଶ୍ରୁସିକ୍ତ ଲବଣାକ୍ତ କବିତା ମତେ ଭଲ ଲାଗେ, ସମସ୍ତଙ୍କୁ ଭଲ ଲାଗେ । ଦୁଃଖରେ ସହାନୁଭୂତି ସମସ୍ତେ ଲୋଡ଼ନ୍ତି । କବି କୃଷ୍ଣଚନ୍ଦ୍ର ସେଥିପାଇଁ ଦୁଃଖୀ ଦରିଦ୍ର, ପାପୀ ତାପୀ ସମସ୍ତଙ୍କୁ ଆପଣାର ବୁକୁରେ ତୋଳି ନେଇଛନ୍ତି !

 

କୃଷ୍ଣଚନ୍ଦ୍ରଙ୍କ ଭାଷାରେ ସରସତା ଅଛି, ଓ ଓଜ ଅଛି । ତାଙ୍କର ଜୀବନ-ନିସୃତ ବହୁ କବିତା ଓଡ଼ିଆ ସାହିତ୍ୟରେ ଅମର ସଂପଦ ହୋଇ ରହିବ !

 

ଲକ୍ଷ୍ମୀ ନାରାୟଣ ସାହୁ

ଭାରତ ସେବକ ସମିତି, ସଭ୍ୟ

Image

 

ମୁଁ

 

ମୋର ଜୀବନ ନୁହଇ ଆଜିର ଗୋ ପାଣି ଫୋଟକା,

ମୁଁ ତ ଅସୀମ କାଳର କପାଳେ ଯିବିନି ଲିଭି ଗୋ !

ମୁଁ ଗୋ ଏତେ କାହିଁ ପାଇଁ ହେବି ଅତରଚ୍ଛ ତାଟକା ?

ମୁଁ ଗୋ ମୋହରି କାମଟି ହସି ହସି କରୁଥିବି ଗୋ !

ମୁଁ ଗୋ ଚିରସନାତନ ଶାଶ୍ୱତ ଅବିନାଶୀ ଗୋ,

ମୋର ଜୀବନ ଗୋ ଖାଲି ଜୀବନ ଜୀବନ ଜୀବନ;

ମୁଁ ତ ମହାବିଶ୍ୱର ଆଲୋକେ ଉଠିବି ଭାସି ଭାସି ଗୋ,

ମୁଁ ଗୋ ମହା ମହାବିଶ୍ୱରେ ମୁକ୍ତ ମଧୁର ପାବନ !

ମୋର ଉଉଦିଗେ ଖାଲି ଅମୃତ ଝର ଝରଇ,

ମୁଁ ଗୋ କ୍ଷୁଦ୍ର ନୁହଇ ବିରାଟ, ଉଦାର ମହାନ,

କୋଟି ଅମୃତ ଆଶା ବୁକୁତଳେ ମୋର ଭରଇ,

ମୁଁ ଗୋ ଆନନ୍ଦ ଜଳେ କରୁଥିବି ନିତି ତ୍ସ୍ନାହାନ !

ମୋର ଦୁଃଖ ବେଦନା ପୁଲକ ଗୋ ସବୁ ସମାନ,

ମୁଁ ଗୋ ସବୁରେ ଦେଖିବି ଜୀବନ ମୋହନ ବିଳାସ,

ମୁଁ ଗୋ ମୋହରି ଭିତରେ ଦେଖିବି ବିଶ୍ୱ-ବିତାନ

ମୋର ନାଇଁ ନାଇଁ ନାଇଁ ଦାରୁଣ ଦୁଃଖ ପରାସ ।

ମୁଁ ଗୋ ସତ୍ୟ, ଚିରସୁନ୍ଦର ଶିବ ଶୁଦ୍ଧ,

ମୁଁ ଗୋ ସକଳର ଲାଗି ଜାଗିଚି ଏ ମହାଭୁବନେ,

ମୁଁ ଗୋ ସବୁରି ଭିତରେ ହୋଇ ଉଠେ ଉଦ୍‌ବୁଦ୍ଧ,

ମୁଁ ଗୋ କଲ୍ଲୋଳି ଉଠେ ବିଶ୍ୱ ଆକାଶ ପବନେ !!

Image

 

ଜୀବନ ପଥ

 

ଯେ ମାଟି ଉପରେ ଭିକ୍ଷୁକ ମାଗେ ଭିକ

ଦୁଆରୁ ଦୁଆରୁ ଶତ ନାରଖାରେ ବୁଲି,

ସେଇ ପଥେ ମତେ କରିଦିଅ ହେ ପଥିକ

ତା’ ଭାରା ଦଇନି ବୁକୁ ପରେ ନିଏ ତୋଳି ।

 

ଯେ ମାଟି ଉପରେ ଚଷା ଋଣଭାର ସହି,

 

ଘରଛାଡ଼ି ବୁଲେ ସାଉର ନିର୍ଯ୍ୟାତନେ,

 

ନୟନେ ଲୋତକ ବକ୍ଷେ ବେଦନା ବହି

 

ଏ ଧରଣୀ ପରେ ଗଣାହୁଏ ନାଇଁ ଜଣେ ।

ସେଇ ଥାନେ ମୋତେ ଜନମ ଦିଅ ଆହେ ନାଥ !

ତାହାରି ପାଇଁ ମୁଁ ରୁଧିର ନିଗାଡ଼ି ଚାଲେ

ଲକ୍ଷ ପ୍ରାଣୀରେ ପୋଷିଛି ଯାହାର ହାତ

ବକ୍ଷ ସହେ ନା ତା’ ଆତୁର ହାହାକାରେ ।

 

ଯେ ମାଟି ଉପରେ ପଙ୍ଗୁ ଓ ପଦାନତ

 

ଅପମାନ ଭରେ ଚାଲି ନ ପାରଇ ପଥ,

 

ପଲକେ ପଲକେ ତା’ ମରମ ମନୋରଥ

 

ପ୍ରତି ପଦେ ନିତି ହୋଇ ଉଠେ ପ୍ରତିହତ,

ତାହାରି ବକ୍ଷେ ଆଣେ ମୁହିଁ ଜାଗରଣ

ଉନ୍ମାଦନାର ବିହ୍ନି ଗରବେ ଜାଳେ

ସେ ଦୀନ ରାଇଜେ ପଡ଼ୁ ଏ ଚରମ ମମ

ତା’ ଲାଗି ଜୀବନ ହସି ହସି ଦେଇପାରେ ।

 

ଯେ ମାଟି ଉପରେ ଶତ ପୀଡ଼ିତର ଓଠ

 

ଆକୁଳେ ମାଗଇ ଭିକ୍ଷା ଦିବସ ରାତି

 

ବୁଲେ ମୁଁ ହେ ସଖା । ନିତି ସେ ରାଇଜ ତଟ

 

ସକଳର ହୁଏ ଆମରଣ ସଖା ସାଥି ।

Image

 

ପରଶ

 

ନୀଳ କୁବଳୟ ପରି ଏ ନୟନ ଦୁଇ

ମତେ ଭଲ ଲାଗେ ଚାହିଁ ରହିଥିବି ମୁହିଁ;

ଧରଣୀର ଯେତେ ଜ୍ଞାନବିଜ୍ଞାନ କଥା,

ଲୋଡ଼ା ନାଇଁ ତହିଁ, ନାଇଁ ମୋ ସାର୍ଥକତା ।

 

ଏଇ ଯେ ତୁମରି ଭୁଜ-ବଲରୀ ବାଳା !

 

କଣ୍ଠେ ବେଢ଼ାଇ, ଗାଇବି କବିତାଧାରା;

 

ତା’ ତହୁଁ ମୋହର ଅଧିକ ବିଭବ କାହିଁ ?

 

ସେ ଯେ ସଖି ! ବଡ଼ ସମାନ ମୋହ ପାଇଁ ।

ଏଇ ଯେ ତୁମରି ଗଣ୍ଡଯୁଗଳ ସହି !

ପାରିଜାତ-ଫୁଲ-ପରାଗେ ଗଢ଼ିଚି ବିହି,

ମରମ ଭାରି ମୁଁ ଦେଉଥିବି ଚୁମ୍ବନ

ନିବିଡ଼ ନିବିଡ଼ କରି ପ୍ରାଣ ବନ୍ଧନ;

 

ଓଠପୁଟେ ତବ ଲଳିତ ମାଣିକ-ହାସ

 

ସୃଷ୍ଟିର ସବୁ ଶିରୀ ଯହିଁ ପରକାଶ;

 

ପିଉଥାଏଁ ମୁହିଁ ରକ୍ତ ମଦିରା ପରି

 

ବିରତ ନ ହୋଇ ଜନମ ଜନମ ଭରି;

ଚରଣର ଏ ଯେ ମୃଦୁ ମନ୍ଥର ଚାଲି

ଚାହୁଁ ଥାଏ ମୁହିଁ ଅପଲକ ଆଖି ଢାଳି;

ପ୍ରତି ପଦ ପାତେ ଫୁଟାଉ ପଦ୍ମକଳି

ଦିନ ବିତୁ ସେଇ ସୁଷମା ଲକ୍ଷ୍ୟ କରି ।

 

ଓଠର ଏ ଯେଉଁ ମୁଗ୍‌ଧ ମଧୁର ବାଣୀ

 

ପିକ ପାପିଆର କଣ୍ଠେ ନ ଥିବ ରାଣି !

 

ସେଇ ବାଣୀ ମୋର କାନ ଶୁଣୁ ଅବିରତ

 

ସେଇ ଯେ ମୋହରି ପ୍ରାଣର ପୀୟୁଷ ପଥ ।

ତୁମ ବୁକୁତଳେ ସଞ୍ଚିତ ମୋହପାଇଁ

ଯେ ସେନେହଟିକ, ଭୁବନେ ନ ଥିବ କାହିଁ !

ବକ୍ଷେ ବକ୍ଷ ଭରି ଆଗୋ ମଦାଳସି !

ସେ ସେନେହ ମୋରେ ଦେଉଥାଅ ହସି ହସି ।

 

ତୁମରି ରୂପର ଜୁଆରେ ମୁଁ ଯାଏ ଭାସି

 

ତୁମରି ସେନେହେ ଉଠେ ମୁଁ ଉଦ୍‌ଭାସି ।

 

ତୁମରି ସକଳ ଅଙ୍ଗେ ବିଳସି ଉଠେ,

 

ତୁମରି ପରଶେ ସୁନ୍ଦର ହୋଇ ଫୁଟେ ।

Image

 

ନେଇଯାଅ ସେଇ ରାଇଜେ

 

ଯହିଁ ନୀଳ ଧାନକ୍ଷେତ ନିତି ନୀଳ ନେତ ଉଡ଼ାଏ,

ଯହିଁ ଆଷାଢ଼ ବରଷା ବିଲବାଡ଼ି ଜଳେ ବୁଡ଼ାଏ,

ଯହିଁ ଚଷାପୁଅ ଗୀତ ଛନ୍ଦେ ପବନେ ଭାସଇ,

ଯହିଁ କୁସୁମ ଗନ୍ଧ ସମୀରଣେ ଥରି ଆସଇ,

ଯହିଁ କୂଳ ଭରା ନଈ କୁଳୁ କୁଳୁ ତାନେ ବହଇ,

ଯହିଁ ଫୁଲ କାନେ ଅଳି ତୁନି ତୁନି କଥା କହଇ,

ଯହିଁ ସବୁଜ ଶଇଳ କପାଳେ ଉଡ଼ଇ ବଳାକା,

ଯହିଁ ବିଦ୍ୟୁତ ହାସେ ଜଳର ଦୀପ୍ତ ଶଳାକା ।

ଯହିଁ ନିର୍ଜର ବହେ ଡେଇଁଣ ଶିଳାରୁ ଶିଳାରେ,

ଯହିଁ ନୃତ୍ୟ କରଇ ମୟୂରୀ ଅମର ଲୀଳାରେ,

ଯହିଁ ସ୍ୱର୍ଣ୍ଣ ଶିଶୁର ଦରୋଟି ବଚନ ଫୁଟଇ,

ଯହିଁ ପଲ୍ଲୀ-ବାଳାର ସରଳ ସେନେହ ଉଠଇ,

ଯହିଁ ଧନୀ-କାଙ୍ଗାଳ ସମାସୀନ ସମ-ଆସନେ,

ଯହିଁ ଧରଣୀ ଚାଲିଚି ସତ୍ୟ ଓ ନ୍ୟାୟ ଆସନେ,

ଯହିଁ ସ୍ୱାଧୀନ ତୂର୍ଯ୍ୟ ବାଜଇ ମତ୍ତ ଗରବେ,

ଯହିଁ ସଂଯମ ସହ ସାଧନା ଖେଳଇ ନୀରବେ–

ତହିଁ ରହିଥିବି ମୁହିଁ କୋଟି ଦିନ ଯିବ ବହି ଯେ,

ମୋରେ ନେଇଯାଅ ମୋର ସେଇ ଇପ୍‌ସିତ ରାଇଜେ ।

Image

 

ସେଇଠି

 

ନିତି ବୁଲି ଆସେ ଏ ନଈ ପୁଳିନେ କାହିଁକି ?

କିବା ସମ୍ପଦ ଅଛି ଏଥି ମୋହ ପାଇଁକି ?

ସକାଳେ ଆସେ ମୁଁ, ଆସେ ସନ୍ଧ୍ୟାରେ ନିୟତେ

ନିଶୀଥେ ଆକାଶେ ଚାହେଁ ଏଥି ବୁଲି କିୟତେ

ବୁଦାରୁ ବୁଦାକୁ ଲଟାରୁ ଲଟାକୁ ବୁଲଇ

କଣ୍ଟେଇକୋଳି ଶିଶୁ ସମ କାହିଁ ତୋଳଇ;

ଚାହେଁ କାହିଁ ବସି ତୃଷ୍ଣା ଜଡ଼ିତ ନୟନେ

ନୀଳ ଦୁବଘାସ ଦୋଳିବା ପବନ ଅୟନେ ।

ପ୍ରତି ବାଲିକୁଦେ ଚଢ଼ି ଠିଆହୁଏ ପୁଲକେ–

ଲାଗେ ମୁଁ ବୁଲୁଚି କି ଅବା ନୂତନ ମୁଲକେ !

ବକ୍ର ଗତିରେ ଚାଲିଚି ଏ ନଈ ସୁଦୂରେ

ଦୁଇ କୂଳେ ରାଜେ ବନ ପ୍ରାନ୍ତର ମଧୁରେ

ଭଦଭଦଳିଆ ତରୁଡ଼ାଳେ କାହିଁ ଉଡ଼ିଲେ

ନାଚିଉଠେ ମୋର ଅନ୍ତର କେତେ ଭଳିରେ ।

ଶାନ୍ତ ଶୀତଳ ପାହାଡ଼ ପବନ ପରଶି–

ମୋ ଦେହେ କି ଅବା ଅମୃତ ଦିଏ ବରଷି;

ଯେତେଥର ବୁଲେ ସେତେଥର ଜାଗେ ବାସନା,

ଏଥି ବୁଲନ୍ତି ନ ମାନି କାହାର ଶାସନା ।

ବାଳୁତର ସାଥି ଏଇ ମୋର ଟିକି ନଈଟି

ଦେଖି ମୁଁ ଆସୁଚି ଏଭଳି ଯାଉଚି ବହିଟି !

ତା’ବୁକୁର ପ୍ରତି କନକ ସିକତା ରେଣୁରେ

ବାଜି ଉଠେ ମୋର ଅନ୍ତର-ସ୍ମୃତି ବେଣୁରେ !

ତା’ ପ୍ରତି ଢେଉରେ ବନ୍ଧା ମୋହର ହୃଦୟ

ମୋ ବ୍ୟଥା ବୁଝେ ତା’ କଳତାନ ହୋଇ ସଦୟ !

ସନ୍ଧ୍ୟାରୁ ମୁଁ ଯେ ରାତି ଅଧଯାଏ ଏଇଠି

ମନ କଥା ମୋର କହେ ଯା’ରଖି’ ଥେ ସାଇତି

ପ୍ରତି ଲହରୀରେ ପ୍ରତି ବାଲିକୁଦେ ଚାହିଁ ଯେ

ବେଦନାର ଗାଥା ନୀରବେ ମୁଁ ଯାଏ ଗାଇଯେ !

ଏ ଧରଣୀ ପରେ କିଏ କେତେ କଥା କହିଲେ-

ନାକ ଛିଞ୍ଚାଡ଼ି, ସବୁ ଆସି କହେ ପହିଲେ ।

ଝର ଝର ଝର ମୋ ଆଖିର ଲୁହ ଝରଣା

ବୁଝେ ଏଇ ନଈ କନକ-ସିକତା-ବରଣା !

ଏଇ ଘାସ ଶେଯ ଏଇ ବାଲିକୁଦ ଭିତରେ

ଗୋଟି ଗୋଟି ମୋର ରହିଚି ଜୀବନ ଗୀତରେ !

ବାଳୁତର ସାଥୀ ଏଇ ମୋର ଟିକି ନଈଟି

ଦେଖି ମୁଁ ଆସୁଚି ଏଭଳି ଯାଉଚି ବହିଟି;

ବହି ସେ ଚାଲିଚି, ବହି ଚାଲିଥିବ ସୁଦୂରେ

କାଳ କାଳ ଧରି, କଳତାନ ତୋଳି ମଧୁରେ !

କୂଳେ କୂଳେ ତା’ର ବୁଲି କେ ପାହାଡ଼ି ବାଳିକା

ତୋଳୁଥିବ ଶାଗ, ମଞ୍ଜୁ-କୁସୁମ କଳିକା,

ନଡ଼ା କାଟୁଥିବ ରାଉତର ପୁଅ କାହିଁ ଯେ

ପଧାନ ଝିଅରେ ଆଖି ମାରୁଥିବ ଚାହିଁ ଯେ;

ଦୁଃଖିନୀ କିଏ ଆସୁଥିବ ଘସି ଗୋଟାଇ

କହୁଥିବ ‘‘ସେ’ ଯେ ଚାଲିଗଲେ ସବୁ ତୁଟାଇ,

ଭିତରଟା ଯାକ ବେଦନାରେ ଯାଏ କହଲି

ବଞ୍ଚିଛି ଯାହା ଚାହିଁ ଏ ବାଳୁତେ ମୋହରି ।’’

କ୍ଳାନ୍ତ ପଥିକ ଗଣ୍ଠିଲି ଥୋଇ କୂଳରେ

ତୃଷା ମେଣ୍ଟାଇ ବସିଥିବ ତରୁ ମୂଳରେ;

କୂଳବଧୂ କାହିଁ ନେଉଥିବ ଜଳ-କଳସୀ

ବାସ ଉଡ଼ୁଥିବ ମନ୍ଦ ମରୁତ ପରଶି ।

କୃଷକ ବାଳିକା ମିଳି ଦଶ ବାର ସରିକି

ତୋଳୁଥିବେ ତାର ତୀରେ ତୀରେ ଦୁଧ ଖରିକି (୧)

ଚିରଦିନ ଲାଗିଥିବ କେତେ ଲିଳାଖେଳା ଯେ

ଦିଶୁଥିବ ମଧୁମୟ ତା’ର ବାଲିବେଳା ଯେ;

କେତେଦିନ ପରେ ଛାଡ଼ିବି ନିଖିଳ ଧରଣୀ

ମନେ ପଡ଼ୁଥିବ ନୀତି ତାର ତୀର ସରଣୀ ।

ଦିଶି ଯାଉଥିବ ତା’ କୂଳ ପାଦପ-ଲତିକା

କେଉଁ ବିହଗଟି ଗାଇବାର କେଉଁ ଗୀତିକା ।

ମନେ ପଡ଼ୁଥିବ ଟିକି ଟିକି ନୀଳ ଲହରୀ

ମନେ ପଡ଼ୁଥିବ ତୀର ତୃଣ ବିବା କଅଁଳି ।

ମନେ ପଡ଼ୁଥିବ ମରମର କଥା କହୁଁ ତ

କେଉଁଠି ଝରିଚି ନୟନର ଲୁହ ବହୁତ !

ମନେ ହେଉଥିବ ସରାଗେ ହୃଦୟ ମିଶାଇ

କିଏ ନେଉଥିଲା କେଉଁ ଦିନ ମତେ ରସାଇ ।

ମନେ ହେଉଥିବ ବିରାଟ ପୃଥିବୀ ମାଟିରେ

ବନ୍ଧନ ତାର ପାରୁନି ନିମେଷେ କାଟିରେ ।

କଳତାନ ତାର କାନେ ଯାଉଥିବ ବାଜି’ତ

ଦିଶି ଯାଉଥିବ କନକ ସିକତା ରାଜିତ !

ସୁନ୍ଦର ମୋର ଅମର ଭୁବନ ସେଇଠି

କଳତାନେ ଯହିଁ ବହେ ମୋର ସେଇ ନଈଟି,

ମରଣର ପରେ ଅଦେହ ଆତ୍ମା ମୋହରି

ଉଡ଼ି ଯାଉ ତହିଁ, ଦେଖୁ ତାର ନୀଳ ଲହରୀ !

 

(୧) ଏକ ପ୍ରକାର ଶାଗ

Image

 

ପାରିବିନି ଚାହିଁ

 

ଗୋଟିଏ ମୁହୂର୍ତ୍ତ ପାଇଁ,

ପାରିବିନି ଚାହିଁ ଆଉ ପାରିବିନି ଚାହିଁ !

କିଏ ସେ ସେଠାରେ ଅଛ ?

କିଏ ସେ ଖୋଜୁଛ ସେଠି ମତେ ?

କିଏ ସେ ଚାହିଁଛ ରହି ମତେ

ଉତ୍‌ପଙ୍‌କ୍ଷ ନୟନେ ?

କିଏ ସେ ଡାକୁଚ ମତେ

ନିଜରୁ ନିଜର କରି

କିଏ ସେ ଆସୁଚ ମୋ ପାଖକୁ

ମୋରେ ଦୂରୁ ଲକ୍ଷ୍ୟକରି ?

ଗୋଟିଏ ମୁହୂର୍ତ୍ତ ପାଇଁ

ପାରିବିନି ଚାହିଁ ଆଉ–

ପାରିବିନି ଚାହିଁ,

ରହିଥାଉ ସେ କୁଟୀର

ଥାଉ ସେଇ ଭୂଇଁ !

ଗୋଟିଏ ମୂହୂର୍ତ୍ତ ପାଇଁ

ପାରିବିନି ଚାହିଁ ଆଉ

ପାରିବିନି ଚାହିଁ,

ଭୁଲରେ ବି ଯିବିନାହିଁ ପାଦେ ହେଲେ

ମୋହଲାଗି ଶୂନ୍ୟ ସେଇ–

କୁଟୀର ପ୍ରାଙ୍ଗଣ,

ମୋହଲାଗି ହସେ ନାଇଁ କାନ୍ଦେ ନାଇଁ

କ୍ଷଣେ ପାଇଁ ଭାବେ ନାଇଁ

ସେ ଭୂଇଁର ମାଟି ଗୋଡ଼ି

ସୌଧ ବାତାୟନ !

କିଏ ସେ ସେଠାରେ ତୁମେ

ମୋହଲାଗି କରିଚ ପ୍ରତୀକ୍ଷା ?

କିଏ ସେ ସେଠାରେ ତୁମେ

ମୋହ ପାଇଁ ହେଉଅଛ

ଆକୁଳ ଉନ୍ମାନ ?

କିଏ ସେ ତମେ ରହିଚ ସେଠାରେ ସତେ

ବାନ୍ଧି ମୋହ ତୁଲେ

ମମତା ବନ୍ଧନ ?

କିଏ ତମେ ?

ତମ ଆଖିର ପ୍ରତି ଚାହାଣୀ ଭିତରେ

ମୋହଲାଗି

ଜାଗି ଉଠେ ପିୟୁଷ କମ୍ପନ ?

ଗୋଟିଏ ମୂହୂର୍ତ୍ତ ପାଇଁ ହେଉ

ପାରିବିନି ଚାହିଁ ଆଉ

ପାରିବିନି ଚାହିଁ

ରହିଥାଉ ସେ କୁଟୀର

ଆଉ ସେଇ ଭୂଇଁ !

ଗୋଟିଏ ମୁହୂର୍ତ୍ତ ପାଇଁ ହେଲେ

ପାରିବିନି ଚାହିଁ ଆଉ

ପାରିବିନି ଚାହିଁ,

କଣ୍ଠ ରୁଦ୍ଧ ହୋଇ ଆସେ,

ଓଠରୁ ଫୁଟେନା ବାଣୀ,

ଦେହେ ମନେ ଜାଗି ଉଠେ

ଅବସାଦ ଛାୟା;

ମୋର ହୋଇ, ମୋର ଆପଣାର ହୋଇ

କିଏ ସେଠି ଅଛ ?

ଅଛ କେହିହେଲେ ଜଣେ

ପାଦ ତବ ପଡ଼ୁ ନାହିଁ ତଳେ

ଏ ରାଜ ରାସ୍ତାରେ ବାରେ

ଚାହିଁଦେଲେ ମୋରେ ?

ହୃତ୍‌ପିଣ୍ଡର ପ୍ରତି ରକ୍ତବିନ୍ଦୁ ଭିତରେ

ମତେ କିଏ ଅନୁଭବ–

କରୁଅଛ, ସେଠି ତମେ ସତେ ?

ସତେ କିବା ରହିଅଛ

ଖାଲି ମୋହ ଲାଗି

ଯାଇ ନାହଁ ସେ ଭୂଇଁ ତିଆଗି,

ଗୋଟିଏ ମୁହୂର୍ତ୍ତ ହେଲେ

ପାରିବିନି ଚାହିଁ ଆଉ

ପାରିବିନି ଚାହିଁ,

ରହିଥାଉ ସେ କୁଟୀର

ଆଉ ସେଇ ଭୂଇଁ !

ଗୋଟିଏ ମୁହୂର୍ତ୍ତ ପାଇଁ ହେଲେ

ପାରିବିନି ଚାହିଁ ଆଉ

ପାରିବିନି ଚାହିଁ;

ଧୂସର ପାହାଡ଼ ଚୂଳେ ରକ୍ତିମ ରବିର

ରକ୍ତ ରାଗେ,

ହସୁଥିବ ସେଇ ଭୂଇଁ,

କୁଟୀର ପ୍ରାଙ୍ଗଣ,

ଫେରୁଥିବେ ଗୋରୁ ଗୋଠ

ଟିପାର ମୋହନ ତାନେ

ହେଉଥିବ ମୁଖରିତ

ସେ ଭୂଇଁର ବିଲ, ପଦା, ବନ;

ମାରୁଆର ବନ କୁଞ୍ଜତଳୁ

ବୋହି ଆସୁଥିବ

ଶାନ୍ତ ସମୀରଣ,

ଜୋତ୍ସନାରେ ଅବଗାହି

ସେ ଭୂଇଁର ପ୍ରତି ଧୂଳି ମାଟି

ପରାଣେ ପରାଣେ କେତେ

ରଚୁଥିବ ସ୍ୱପ୍ନିଳ କମ୍ପନ ।

ତୁମେ କଣ ଏ ସବୁ ଭିତରେ

ଅଛ ସେ କୁଟୀରେ

ମତେ ସାଥୀ କରି, ପ୍ରିୟ କରି,

ଆପଣାର କରି,

ଜୀବନରେ ସେ ସମ୍ପଦ ମେଳେ

ଯିବାକୁ ବିହରି ?

ମତେ କଣ ସେଠି ତମେ

ଖୋଜୁଅଛ ସତେ ?

ମୁଁ ତୁମର, ତୁମେ ମୋର

ଏକାନ୍ତ ଜଗତେ

ଭାଳୁଅଛ ବସି ?

ମୋ ପାଇଁ ରୋମାଞ୍ଚ

ତୁମ ଦେହେ ମନେ ଉଠୁଚି ସଞ୍ଚରି ?

ଯାଉଚ କି ସରାଗେ ଉଲ୍ଲସି ?

ଗୋଟିଏ ମୁହୂର୍ତ୍ତ ପାଇଁ ହେଲେ

ପାରିବିନି ପାରିବିନି ଚାହିଁ

ତୁମେ କଣ ସେଠି ଅଛ ?

ଥାଉ ସେ କୁଟୀର

ଥାଉ ସେଇ ଭୂଇଁ;

ଗୋଟିଏ ମୁହୂର୍ତ୍ତ ହେଲେ ପାରିବିନି ଚାହିଁ !

ଜୀବନର ବୀଣା ତାନ ଯେଉଁଠି ଯାଇଚି ମରି

ଚିରଦିନ ଧରି ମୋହ ପାଇଁ,

ମୋରେ ତୁମେ ଦେବା ପାଇଁ

ପ୍ରାଣର ଆଶ୍ଳେଷ

ସେଠି ସେଇ ପ୍ରାଙ୍ଗଣ ପାହାଚେ

ହୋଇଚ କି ଉଭା ?

ମୋରେ ତୁମେ କହିବାକୁ

ହୃଦୟର ଅକୁହା ବାରତା

ଅଧର କମ୍ପନେ

ହଉଚ କି ଆଗଭର ?

ମୋ ଦରିଦ୍ର ମସ୍ତକରେ

ଦେବାକୁ ପିନ୍ଧାଇ

ଗୌରବର ସୁବର୍ଣ୍ଣ ମୁକୁଟ

ତୁମେ କି ପ୍ରସାରି କର ଚାହିଁ ରହିଅଛ

ଯୁଗ ଯୁଗାନ୍ତର ?

ପ୍ରାଣର ପିପାସା ମୋର

ଶମିବାକୁ

ତୁମେ କି ରହିଚ ଆଉ

ସେଠି ମୋହପାଇଁ ?

ଗୋଟିଏ ମୁହୂର୍ତ୍ତ ହେଲେ

ପାରିବିନି ଚାହିଁ

ରହିଥାଉ ସେ କୁଟୀର

ଆଉ ସେଇ ଭୂଇଁ !

Image

 

ସତୀର ଲୁହ

 

ଅଙ୍ଗ ସକଳ ସ୍ୱର୍ଣ୍ଣ ଆଭରଣ,

ମୋହରି ଲାଗି କରିବ ବିସର୍ଜନ;

ଏଥିରେ ଯେବେ ଯାଏ ମୁଁ ହୋଇ ଭଲ

ସେଇତ ତୁମରି କାମ୍ୟ ଜୀବନର ।

ଆଗୋ ମୋର କୁଟୀର ପ୍ରିୟା ସରଳା ସୁକୁମାରି !

କହୁଚ ମୋରେ ଅଶ୍ରୁ ଭରା ଆଖେ,

ମୋହରି ଏଇ ଦୁର୍ଦ୍ଦଶାରେ

ଯାଉଛି ଥରି ତୁମରି ଅନ୍ତନାଡ଼ି !

ଜୀବନ ଦବ ଜୀବନ ଦବ ଜୀବନ ଗୋଟି ଦବ,

ବଞ୍ଚି ରହେ ବଞ୍ଚି ରହେ ମୁହିଁ

ସେଇତ ତୁମରି ସକଳ ଗଉରବ ।

ମୃତ୍ୟୁ ମୋର ଆସିବ ଯେବେ

କି ଶିରୀ ତବ ରହିଚି ତେବେ ?

କହୁଚ ମୋରେ ନୟନ ପ୍ରାନ୍ତୁ

କୋଟିଏ ବିନ୍ଦୁ ତପ୍ତ ଲୁହ ଢାଳି !

ଆଗୋ ମୋର କୁଟୀର ପ୍ରିୟା ସରଳା ସୁକୁମାରି !

 

ଜୀବନେ ତୁମେ ରହିନ ଦିନେ ସୁଖେ

ହୋଇଚ ହୀନିମାନ,

ମୋହରି ଲାଗି ବାଧିନି କିଛି

ରହିଚ ଧରି ପ୍ରାଣ;

ମତେ ହିଁ ଦେଖି ମତେ ହିଁ ଚାହିଁ

ସକଳ ଦୁଃଖ ଫିଙ୍ଗି ଦୂରେ

ରହିଚ ତୁମେ ନଉକା ଗୋଟି ବାହି;

ଛିନ୍ନ ହୋଇ ମୁଁ ଯେବେ ଆହା

ବୁଡ଼ିବି ଏଇ ମହାସାଗର ଜଳେ,

ପାରିବ ନାଇଁ ସହି ଗୋ ତମେ;

ପାରିବ ନାଇଁ ରହି,

ଗୋଟିଏ କ୍ଷଣ ଜୀବନ ଧରି

ଏ ମହା ଆବର୍ତ୍ତରେ ।

କହୁଚ ତମେ କୁଟୀର କଣେ ମତେ

ଅଶ୍ରୁଭରା ଆଲିଙ୍ଗନ ବାଢ଼ି

ଆଗୋ ମୋର କୁଟୀର ପ୍ରିୟା ସରଳା ସୁକୁମାରି !

କେତେ ଯେ ଦାରୁଣ ଦୁଃଖ ମୋର

ବିତିଚି ତୁମ ଆଗେ,

ଯାଇଚି ସବୁ ଯାଇଚି ଅପସରି,

ତୁମରି ବିନୁ କିଏ ସେ ଜଣେ

ମୁହୂର୍ତ୍ତକ ପାଇଁ

ଯାଇନି ଆହା କରି !

ଥରକୁ ଥର ଅନାଇ ମତେ

କରୁଣ ଦୃଷ୍ଟି ପାତେ,

ଡାକିଚି କେତେ ଦେବତା ଦିଅଁ

ନୟନୁ ଢାଳି ତପ୍ତ ଲୁହ;

ସେ କେଉଁ ମହାଶୂନ୍ୟୁ କିଏ

କରିଚି ଆଢ଼ୁଆଳ,

ଜୀବନ ପାଇ ଜାଗିଚି ମୁହିଁ,

ଚାଲିଚି ପୁଣି ତୁମରି ହାତ ଧରି,

କହୁଚ ତୁମେ କହୁଚ ମୋରେ

ସୁଦୂରେ ହାତ ଠାରି !

ଆଗୋ ମୋର କୁଟୀର ପ୍ରିୟା ସରଳା ସୁକୁମାରି !

ସାହା ଭରସା ତୁମର କିଏ ଅଛି

ଆଗକୁ ପଛକୁ ଟିକିଏ ହେବ ଠିଆ ?

ନିଆଶ୍ରିକ ଜୀବନ ଗୋଟି ତବ

ଏଭଳି ଯେବେ ହେବ ହେ କଲବଲ

କେସନେ ସହି ପାରିବ ମୋର ହିଆ ?

ସୁଦୂରେ ତମେ ସୁଦୂରେ ମୁହିଁ

କିଏ ସେ ଦେଲା ଦୁଇ ଜଣରେ ଯୋଡ଼ି ?

ଦୁଇଟି ବଣ ଚଢ଼େଇ ପରି

ଟିକିଏ ବସି ହେଲେନି କଥାଭାଷା,

ମରମ ମୋର କେତେ ଯେ ଯାଏ ପୋଡ଼ି !

ଅନାଥିନୀ ଏ ଜୀବନ ଗୋଟି

ରହିଚି ଯାହା ଆଗହୁଁ ନାଇଁ ମରି,

କହୁଚ ତମେ କହୁଚ ମତେ

ବକ୍ଷ ଫଟାଇ ତବ

ଆଗୋ ମୋର କୁଟୀର ପ୍ରିୟା ସରଳା ସୁକୁମାରି !!

ତୁମରି ଏଇ ଆଖିର ଏଯେ

ତପ୍ତ ଲୁହ ଧାର,

ମୋହରି ଲାଗି ଯାଉଛି ଝରି

ହୋଇ କି ଅସମ୍ଭାଳ !

ତାହାରି ପ୍ରତି ବିନ୍ଦୁ ତଳେ

ସେ କେଉଁ ମହାଶୂନ୍ୟେ ଚାହିଁ

ପାତିଚ ଅବା ମୋହରି ଲାଗି ଥାଳ !

ତୁମରି ଭଳି ସତୀର ଏଯେ

ସତ୍ୟ-ଭରା ଲୁହ,

ବ୍ୟର୍ଥ ଯେବେ ଯିବଗୋ ହୋଇ,

ପାରିବ ଚାଲି ନିମେଷ ପାଇଁ

ଏ ମହା ସୃଷ୍ଟି ସୁଅ ?

କେତେ ଶକ୍ତି ସାଧନା ଭରା

ଅଶ୍ରୁ ଏ ଯେ ତବ,

କିଏ ସେ କେଉଁ ଅନ୍ତରାଳେ

ଦେଖୁଚି ନିଶ୍ଚେ,

ଶୁଣୁଚି ତବ ବିକଳ ବାଣୀ

ସୁଦୂରେ କାନ ପାରି,

ଆଗୋ ମୋର କୁଟୀର ପ୍ରିୟା ସରଳା ସୁକୁମାରି !

Image

 

ବରଷା-ସନ୍ଧ୍ୟା

 

କେଉଁଠି କାହାରେ ମୁଁ

ସୋହାଗେ ଭେଟିଥିଲି

କେ ମୋରେ କହିଥିଲା

ମୋହନ-ବାଣୀ,

ସେ କଥା ପଦି ତାର

ବରଷା ସନ୍ଧ୍ୟାରେ

କିଏ ସେ ଥୋଇ ଦିଏ

ମରମେ ଆଣି;

କେ ମୋରେ ଖୋଜିଥିଲା

ନିଜର କରି ଏଡ଼େ

ପାଇଲା ନାଇଁ ଦେଖା

ଜୀବନେ ଥରେ,

ସେ କାହିଁ ? ମୁହିଁ କାହିଁ ?

ତାହାରି କଥାଟିକ

କାହିଁକି ଭାଳି ଭାଳି

ଲୋତକ ଝରେ ?

କାହାକୁ ଦେଇଥିଲି

ହୃଦୟ ଭରା ମଧୁ

କିଏ ସେ ନ ପଚାରି

ରହିଲା କାହିଁ ?

ନୟନେ ଢଳ ଢଳ

ହୁଏ ସେ ବାରବାର

ତାହାର ହୋଇ ମୁହିଁ

ଅଛି କି ନାଇଁ ?

କିଏ ସେ କେତେ ଦୂରେ

କେଉଁଠି କଲବଲେ

ନିୟତ କାଟୁଥିଲେ

ଜୀବନ କାଳ,

ମୋରେ ବା ଖୋଜୁଥିବ

ମୋରେ ବା ଡାକୁଥିବ

କି ଆଶା, ଆଶ୍ରା ମୁଁ

ଭୁବନେ ତାର !

କିଏ ସେ ସାଥୀମେଳେ

ବୁଲିବା ଗଲାବେଳେ

ମୋହରି ସ୍ମୃତିଟିକ

କାହାରେ କହି,

କି ଶିରୀ ପାଉଥିବ,

ସୋହାଗେ ଅନୁଭବି,

ମୋରେ କେ ବୁକୁତଳେ

ଅଛି ତ ବହି ।

ମୋହରି ବାଟ ଚାହିଁ

କିଏ ସେ ଥିବ ରହି

କା ହିଆ ପୂରି ଯିବ

ଦେଖିଲେ ମୋରେ,

ବରଷା ରାତେ ଏଥି

ମୁଁ ତାରେ ପାରେ ଦେଖି

ଉଷ୍ମ ଲୁହ ବୋଳା

ଏ ଆଖି ଡୋଳେ ।

କିଏ ସେ ଦିନେ ପାଇଁ

ନିରାଶ କରି ନାଇଁ

ଦେଇଚି ଭରି ତାର

ମମତା-ମହୁ,

ବିରାଟ ହିଆ ତାର

କି ମଧୁ ପାରାବାର

ନଇଁଚି ମଥା ମୋର

ତା’ କୁଳ ହଉଁ ।

କି ଭଳି ଆସିଚି ମୁଁ

କେତେ ଯେ ଦୂର ବାଟ

କେତେ ଯେ କାହା ତୁଲେ

ଆସିଚି ମିଶି ।

କିଏ ସେ ପାଶେ ଅବା

କିଏ ସେ କେତେ ଦୂରେ

ସଭିଏଁ ଯାଆନ୍ତି

ମୋ ଆଖିରେ ଦିଶି ।

ସବୁରି ଭିତରେ ମୁଁ

ରହିଚି କେତେ କାହା

ଆଖିର ଲୁହ ଅବା

ଓଠର ହସ ହୋଇ,

ସବୁରି ଭିତରେ ମୁଁ

ନିଇତି ଫୁଟି ଉଠେ

କା ଲାଗି କେତେ ଆଶା

ପରାଣେ ବହି ।

Image

 

କବିପ୍ରାଣ ବିଚ୍ଛନ୍ଦଚରଣ

 

କବି ତା’ ଜୀବନରେ କବିତା ଲେଖିଯାଏ,

ଆଖିର ଲୁହ ଅବା ଓଠର ହସ ଦେଇ,

ଧରଣୀତଳେ ତା’ର କି ଶିରୀ ବଇଭବ ?

ସୋହାଗେ ତାରେ ଯେବେ ପଚାରେ ନାହି କେହି !

କବି ତା’ ଜୀବନର କବିତା ଗାଇଯାଏ;

ପାହାଡ଼ୀ ଝରଣାର ମଧୁର ତାନପରି,

ପାନ୍ଥ କିଏ ଯେବେ ଟିକିଏ ନାଇଁ ଶୁଣେ,

କି ଲାଗି ଫୁଟେ ସେହୁ ମୋହନ ସୁଧାଭରି ?

କବି ତା’ ଜୀବନରେ କବିତା ଯା’ ଫୁଟାଏ,

ବସି ତା’ ସାଧନାର ବିଜନ ବେଦୀପରେ,

ତାହାରେ ନ ଅନାଇ କେ ଚାଲିଗଲେ ହାୟ !

କେଡ଼େ ସେ ଭୁଲ ଆହା ଜୀବନେ ନାଇଁ କରେ ?

କବି ତ ମାଗେନାଇଁ ଟଙ୍କା, ସୁନା, ରୂପା,

କବି ତ ମାଗେ ନାଇଁ ହମ୍ୟଁ ତିନି ତାଲା,

କବି ତ ମାଗେନାଇଁ କାହାଠୁ ହାତୀ ଘୋଡ଼ା

ରହିବ ରାଜଭୋଗେ ବିସୋରି ସବୁ ଭାରା !

ସେ ଖାଲି ଖୋଜିହୁଏ, ସେ କେଉଁ ଯୁଗେ କିଏ,

ତା’ ମଧୁ-କବିତାରେ ମୁଗ୍‌ଧ ହେଲେ ବାରେ,

ସକଳ ସମ୍ପଦ ପାରିବ ପାଇ ସେହୁ

ସେ ମରି ରହିଥାଉ ସୁଦୂର କେଉଁ ପାରେ ।

ଜୀବନ ବାଣୀ ତାର, ହୃଦୟ ବାଣୀ ତାର

କା’ ବୁକୁତଳେ ଯେବେ ପକାଇ ପାରେ ଗାର,

ସେଇ ତା’ ଜୀବନର ପରମକୋଟିନିଧି

ତା’ ତହୁଁ କି ଅଧିକ ଥାଏ ତା’ ପାଇବାର !!

ଧରଣୀ ରସମୟ କରିବାପାଇଁ ହାୟ

କି ମହାଧିଆନ ତା’ ଜୀବନସାରା ଧରି

ଦୁଃଖ ନାଇଁ ତାର, ଖାତିର ନାଇଁ ତାର

ଅଭାବେ ଅନାହାରେ ରହୁ ସେ ପଛେ ପଡ଼ି !

ଏ ଭଳି କେତେ କବି ଜୀବନ ବୀଣାତାନ–

ସୋହାଗେ ଢାଳିଦେଇ ଉଭାଇ ଗଲେ କାହିଁ,

ଅତୀତ ଅନ୍ଧାରେ କାଳର ପାରାବାରେ

ତୁମରି ପାଇଁ ଅବା ସେମାନେ ଥିଲେ ଚାହିଁ !

ଦେଖିଚି ଜାଣିଚି ମୁଁ କରିଚି ଅନୁଭବ

ସେ ଓଳସିଂହର * ସେ ମାଟି ବଖରାରେ

ଏ ଦେଶ କବି ମହା କବିର କାବ୍ୟ ଯେ

ଶୁଣାଉଥିଲ ତୁମେ କାହାର ଡାକରାରେ !

ସେ ଛୋଟ ପଲ୍ଲୀର ପାହାଡ଼, ବିଲ ବନ,

ଟାଙ୍ଗି ପ୍ରାନ୍ତର ସୁଦୂର ପଥଘାଟ ।

ସେ ମଧୁ ଗୀତ ତାନେ ଜୀବନ ପାଇ ଅବା

କି ଭଳି ଦିଶୁଥିଲେ ମୋହନ ଉଚ୍ଚାଟ !

ବିଶ୍ୱ ଆଗେ ତୁମେ ଏ ଦେଶ କବିଗଣେ

ଦେବାକୁ ଚିହ୍ନାଇ ଲେଖନୀ ହାତେ ଧରି,

ନିୟତ ଲେଖୁଥିଲ କି ମହା-ଅବେଗରେ

କି ଓଜଭରା ଲେଖା ସିଂହଶିଶୁ ପରି ।

ସେ ଟିକ ଥିଲା ତବ ସ୍ୱପ୍ନ ଜୀବନର

ତାକୁହିଁ ଫୁଟାଇଚ ଜୀବନ ସାରା ତମେ

ଜୀବନେ ଧନେ ମାନେ ବିରାଟ ହେବାପାଇଁ

କେବେତ ଲୋଡ଼ି ନାହଁ ଧରଣୀ ଅଙ୍ଗନେ !

ସ୍ୱଦେଶ ସ୍ୱଜାତିର ଗୋଟିଏ ବିସ୍ମୃତ–

କବିର ସନ୍ଧାନ କାହାଠୁ ପାଇଗଲେ !

ହୀରକ ଖଣ୍ଡେ କି ମିଳିଲା ପରି ଲାଗେ !

ତା’ ତହୁଁ ବଡ଼ଧନ ଜାଣିନ ଜୀବନରେ !

ଅଭାବ ଅନାଟନ ସହିଚ ବହୁବାର

ସହିଚ ବିଦ୍ରୂପ କାହାର କେତେ ତୁମେ,

ତଥାପି ଲକ୍ଷ୍ୟରୁ ହୋଇନ ବିଚ୍ୟୁତ

ଝଞ୍ଜା-ଝଡ଼ ବହୁ ପ୍ରଳୟ ଗରଜନେ !

ସ୍ୱଦେଶ ସ୍ୱଜାତିର କବିରେ ପୂଜା କରି

ପରାଣେ ଗଉରବ, ଯେ ଅନୁଭବ କରେ,

କବିର ନିନ୍ଦା ଯେ କି ଦେଶେ, କି ବିଦେଶେ

ଶୁଣିଲେ ଶୋଣିତ ଯା’ ତାତଇ ବୁକୁତଳେ ।

କବିରେ ଦେବାପାଇଁ ବିପୁଳ ସମାଦର

ଅନ୍ତରର କେଉଁ ଅନ୍ତଃପୁରୁ କାଢ଼ି,

ପାଗଳରପରି ଯିଏ ନିୟତ ତନ୍ମୟ

ଜାତିର ସମ୍ପଦ ତା’ ତହୁଁ କିଏ ବଳି ?

ସେଭଳି ସଂପଦ ତୁମେ ତ ଏ ଜାତିର !

ତୁମରି ଭଳି ଜଣେ ବିରାଟ ବୀର ହିଆ

କେଉଁଠି ଲୁଚିଗଲା, କେଉଁଠି ଛପିଗଲା !

ତା’ ଲାଗି ଖୋଜିହୁଏ ଆଜିର ଏ ଦୁନିଆ ।

ତୁମରି ଭଳି ଜଣେ ଜ୍ଞାନୀ ଓ ପଣ୍ଡିତ

ତୁମରି ଭଳି ଜଣେ ସରସ କବିପ୍ରାଣ,

ଏ ଦେଶେ ଜଳୁଥିଲା, ଆଲୋକଶିଖା ପରି,

କି ଭୀମବତାସେ ତା’ ହେଲାକ ଅବସାନ;

ଯାଇଚ ତୁମେ ସିନା ସୁଦୂର ପରପାରେ,

ତୁମରି ତୁଲେ ତୁମ ସ୍ୱପ୍ନ ଯାଇନାହିଁ,

ବଞ୍ଚିରହିଚି ସେ ଅସୀମ ମହିମାରେ

ବର୍ଣ୍ଣ ଗନ୍ଧ ଯେ ସରାଗେ ମୁକୁଳାଇ !

ସାଗର ଶୁଖିପାରେ, ମେରୁ ବି ଟଳିପାରେ

ମରି ତ ପାରିବନି ତୁମରି ମହାଦାନ,

ଜୀବନେ ଯା’ ଦେବାର ଜାତିକି ଦେଇଅଛ

ଏକାକୀ ପଥେ ତୁମେ ପଥିକ ମହାପ୍ରାଣ !

ନିଜରେ ଭୁଲି ଯିଏ ମାଟିର ଗଉରବ–

ଫୁଟାଇ ଚାଲିଅଛି ଜୀବନସାରା ଧରି,

ମାଟିର ବକ୍ଷରେ ଗୋଲାପ ଗଛପରି

ସେ ଢଳି ରହିଥିବ ମଳୟେ ଥରିଥରି ।

 

*

ଆଜିକି ପ୍ରାୟ ୩୨ ବର୍ଷ ତଳେ ଓଳସିଂହ ହା. ଇ. ସ୍କୁଲରେ ଏ ଲେଖକ ଛାତ୍ର ଥିବାବେଳେ ବିଚ୍ଛନ୍ଦବାବୁ ସେଠାକୁ ଶିକ୍ଷକ ହୋଇ ଆସିଥିଲେ ଏବଂ ଛାତ୍ରାବାସର ଗୋଟିଏ ଛୋଟ ଚାଳଘରେ ରହୁଥିଲେ । ସେଠାରେ ବିଚ୍ଛନ୍ଦବାବୁ ପ୍ରାଚୀନ କବିମାନଙ୍କର କାବ୍ୟ ଆଲୋଚନା କରନ୍ତି ଏବଂ ଛାତ୍ର-ସମାଜକୁ ପ୍ରାଚୀନ ସାହିତ୍ୟର ଭାବଧାରାରେ ଅନୁପ୍ରାଣିତ କରନ୍ତି । ବହୁ ବିସ୍ମୃତ ପ୍ରାଚୀନ କବିମାନଙ୍କର ଲେଖା ମଧ୍ୟ ସଂଗ୍ରହ କରି ଛାତ୍ରମାନଙ୍କ ଦ୍ୱାରା ତାଳପତ୍ର ପୋଥିରୁ କାଗଜରେ ଉତ୍ତାରନ୍ତି । ବହୁ ସମୟ ପ୍ରାଚୀନ କବିମାନଙ୍କ ଲେଖାର ଉତ୍କୃଷ୍ଟତମ ଅଂଶ ଛାତ୍ରମାନଙ୍କୁ ପଢ଼ିଶୁଣାନ୍ତି ।

Image

 

ରୁକ୍ଷ ପାହାଡ଼ ଓ ନୀଳ ଝରଣା

 

ହେ କବି ସେ’ଦିନ ବୁଲିଲ କିପରି

ସେ ମରୁ ବିଜନ ପଥେ,

ତୃଷ୍ଣା କାତର-କଣ୍ଠେ ମାଗିଲ

‘‘ଜଳ ମନ୍ଦିଏ

ଦିଅ କିଏ ହେଲେ ମତେ ।’’

ଉପରୁ ଛିଡ଼ୁଚି ଭୀଷଣ ରୌଦ୍ର

ଚାଲି ହେଉନାହିଁ ପଥ,

ବସିଲେ କେଉଁଠି ବସି ହେଉ ନାଇଁ

ପଥ ପ୍ରାନ୍ତରେ ନାଇଁ ବି ଗୋଟିଏ

ଗଛ ।

ବିରାଟ ଋକ୍ଷ ପାହାଡ଼ ଦେଖିଲ

ଦୂରେ ବହୁଦୂରେ ଠିଆ,

ଚା’ ଦେହରୁ ଖାଲି ବାହାରୁଚି ତାତି

ଜଳୁଚି ଅବା ତା’

ଦେହଯାକ ଖାଲି ନିଆଁ !

ଚାହିଁଲେ ତାହାରେ

ପାରୁ ନାହଁ ଚାହିଁ

ଗଲେ ତାହା ପାଖେ

ଆଶ୍ରୟ ପାଇଁ

ତଡ଼ି ସେ ଦେଉଚି ଦୂରେ,

ସନ୍ଦେହ ଖାଲି

ଉଠୁଚି କୁହୁଳି

ତାର ଗହ୍ୱର ପୁରେ ।

ପାଷାଣ ପାଷାଣ

କଠୋର ପାଷାଣ

ଚାରିଆଡ଼ ମାଡ଼ି

ରହିଚି ଆଦିମ କାଳୁ,

ଘାସ ପତ୍ର ବି

ଗୋଟିଏ ନାଇଁଛି

ଖୋଜିଯିବ ଯେବେ

ତାହାର ତଳିପା ତାଳୁ ।

କି ଶିରୀ ବିଭବ

ପାରିବ ସେ ଦେଇ ?

ପାରିବ ସେ ଦେଇ ?

କି ମାଗୁଣି ତାରେ

ମାଗିଲ ବା ଯାଇ ?

ସ୍ୱାର୍ଥ କପଟ କଠୋରତା ମେଳେ

ଜନ୍ମ ଯାହାର

ଆତଯାତ ଯା’ର

ପ୍ରାଣର ଅଭୟ ଫୁଟାଇ ପାରିବ କାହିଁ ?

ଦୁସ୍ତର ମରୁ ଦୁର୍ଗମ ମରୁ

ପ୍ରସାରିତ କିବା ଯୋଜନ ଯୋଜନ ଧରି,

କିଏ ଅଛି ସାହା ଭରସା ତୁମର

ଯିବ ଆପଣାର କରି;

ବାଧିଥିଲେ ଦେବ ବୋଧାଇ ତୁମରେ

ହଜିଥିଲେ ଦେବ ଖୋଜାଇ ତୁରିତେ,

ଭାଜିଥିଲେ ଦେବ ଗଢ଼ି ଅବିକଳ

କିଏ ଅଛି ଏତେ ନିଜରୁ ନିଜର ?

‘କେହି ନାଇଁ କେହି ନାଇଁ’

ଋକ୍ଷ ପାହାଡ଼ କର୍କଶ ଶିଳା–

ଭିତରୁ ଆସିଲା, ପ୍ରତିବାଣୀ

ତୁମ ପାଇଁ ।

ଚମକି ଚାହିଁଲ ପ୍ରିୟକବି ମୋର

ଜାତିର ଦେଶର ଗଉରବ ଧନ ତମେ

ଚାହିଁଲ ଆକାଶ, ଚାହିଁଲ ପୃଥିବୀ

ଚାହିଁଲ ନିଜକୁ ବାରବାର ପ୍ରତିକ୍ଷଣେ ।

ନିପୀଡ଼ିତ ଲାଗି କେହି କ’ଣ ନାଇଁ

ଡାକ ତା’ର ଯିବ ଶୂନ୍ୟେ ଉଭାଇ ?

ହସିବନି ଦିନେ ତାର ଓଠ ତଳ

ଫୁଟିବନି କଥା

ତୁଟିବନି ବଥା

ଚିର ଦିନ ଥିବ ହୋଇ କଲବଲ ?

ଏ ଆକାଶ ମାଟି ସହିବ କିପରି

ଜଣେ ଯେବେ ଯାଏ

ଚିରଦିନ ପୋଡ଼ି;

ଚିରଦିନ ମରି ।

ସୃଷ୍ଟିରେ ଦିନେ ତା’ ପାଇଁ ଫୁଟିବ ଫୁଲ

ନିର୍ଝର ଝରି ଆସିବ ଆସିବ

ପିପାସା ତା’ ହେବ ଦୂର,

କିଏ କହିଗଲା କାନେ କାନେ କବି

ଆଶା ଆଲୋକର

ଛନ୍ଦେ କବିତା ଗାଇ

ଦେଖିଲ ଗୋଟିଏ ନୀଳ ନିର୍ଝର

ହଠାତ୍ ତୁମରି ଚରଣ ପ୍ରାନ୍ତେ

ସୋହାଗେ ଆସୁଚି ବୋହି ।

ଚୋଳ ଚୋଳ କରି କେତେ ଚୋଳ ଜଳ

ପିଇ ଗଲ ତୁମେ ସ୍ୱପ୍ନ-ବିଭୋର;

ବସିଲ ସେ ତୀର ତରୁଛାଇ ତଳେ,

ଶୁଣିଲ ତାହାର ଉଦାସ ପୁଲକ ଗୀତି

ପ୍ରତି ଉର୍ମୀରୁ ଫୁଟି ଫୁଟି ଆସେ ନିତି !

ହସିଲ ଟିକିଏ ହସି ନ ଥିଲ ଯା

ପ୍ରାଣ ପୂରା ହସ ଜନମ ଜନମ ଧରି,

ବସିଲ ଟିକେ ବସି ନଥିଲ ଯା

ସେ ମରୁ ବିଜନ ବୁକେ

ସକଳ କ୍ଳାନ୍ତ ସବୁ ଅବସାଦ ଭିତରେ ନିୟତ ମରି;

ଚାହିଁଲ ଟିକିଏ

ଅମୃତଭରା ଚାହାଣୀ ଟିକକ ଢାଳି;

କିଏ ସେ ତୁମରେ ଆଶ୍ଳେଷ ଦେବାଲାଗି

ଡାକୁଅଛି ହାତ ଠାରି ।

ବୁଝିଲ କିଏ ସେ ବୁଝିବାର ଲାଗି

ତୁମରେ ରହିଚି ଚାହିଁ,

ଜାଣିଲ କିଏସେ ଜୀବନ-ବୀଣାରେ

ମୂର୍ଚ୍ଛନା ଦେବା ଲାଗି,

ହସି ହସି ଆସେ ନାଚି ନାଚି ଆସେ

ପର ଆପଣାର

ବିଭେଦ ପାଶୋରି ଦେଇ,

ଦେଖିଲ କିଏ ସେ ଦେଖୁଚି ତୁମରେ

ଏତେ ଆପଣାର କରି,

ଜାଣିଲ କିଏ ସେ ଜଗାଇବା ଲାଗି

ଆସିଚି ଆସିଚି

ଉଷା ଆକାଶର

ନବ ଅରୁଣିମା ପରି ।

ଡାକିଲ କାହାରେ

କାହା ପ୍ରତି ଡାକ

ତୁମରେ କରୁଚି ଉନ୍ମନ ଚଞ୍ଚଳ,

ମାଗିଲ କାହାରେ କି ଅବା ମାଗୁଣି !

ନ ମାଗୁ ନ ମାଗୁ କରପୁଟେ ଆସି

ହେଉଅଛି ଢଳ ଢଳ !

ପ୍ରପୀଡ଼ିତ କବି ! ନିପୀଡ଼ିତ କବି,

ନିପତିତ କବି

ଉଠିଲ ଉଠିଲ ଆହୁରି ଉଠିଲ

ଉଠାଇବା ଲାଗି ତୁମରେ କିଏ ସେ

ଆସିଚ ତୁମରି

ଏତେ ଆପଣାର ଜନ !

କିବା ଚାହଁ କବ ଆଉ କିବା ଚାହଁ ?

ପ୍ରାଣର ପୁଷ୍ପ ଫୁଟୁଚି ଯେଉଁଶି ,

ସେଇତ ସ୍ୱର୍ଗ, ସେଇତ ତୁମରି

ଚିର ଆଦରର ଧନ !

Image

 

ଫୁଟି ପାରିଲାନି ?

 

ଏକାକୀ କୁଟୀରେ ବସି ମୁଁ ରହିଚି

ଚାହିଁ ବନ ବିଲ ପାହାଡ଼ ମାଳା,

କାହା କଥାଟିକ ପଡ଼ିଯାଏ ମନେ

ନୟନୁ ବହେ ମୋ ଲୋତକ ଧାରା !

କାହାରେ ଦେଇଚି ପରାଣୁ ପାସୋରି

ପୁଣି କିମ୍ବା ପଡ଼ି ଯାଉଚି ମନେ

କେତେ ନିଯାତନେ ଥିବ ସେ କେଉଁଠି

ମୋ ସେନେହ ସାଥି ସୋଦର ଜଣେ;

 

ନାଇଁ ଥିବ ତା’ର ସେ ରୂପ ମାଧୁରୀ

 

ନାଇଁ ଥିବ ସେଇ ବିଭବ ମାଳା,

 

କେତେ ଦୁଃଖେ ଥିବ ସେ କେଉଁ ସୁଦୂରେ

 

ବୋହୁ ଥିବ ନିତି ଲୋତକ ଧରା ।

 

ବୋହିଲେ ବୋହିବ ପୋଛି ଦେଉଥିବ

 

କୁଞ୍ଚ କାନିରେ ଶୋଚନା ଭରେ,

 

ତା’ବିନୁ ତା’ଦୁଃଖ କିଏ ଦେଖୁଥିବ ?

 

ଏତେ ନିଜର ତା’ କେ ଧରା ତଳେ ?

 

ଏକାକୀ କୁଟୀରେ ବସି ମୁଁ ରହିଚି

ଚାହିଁ ବନ ବିଲ ପାହାଡ଼ ମାଳା,

ଖରାରେ ତରାରେ ବୁଲୁଥିବ କାହିଁ

ଶମିବାକୁ ତା’ର ଜୀବନ ଜାଳା !

ନଥିବ ତାହାର ସେଇ ଟାଣ ପଣ

ଲଇଁ ପଡ଼ୁଥିବ କେବେ ବା କାହିଁ ?

ବାଧୁଥିବ ତାରେ ମରମେ ମରମେ

ତଳ ଉପରକୁ ଥିବ ସେ ଚାହିଁ !

 

ଏକାକୀ କୁଟୀରେ ବସି ମୁଁ ରହିଚି

 

ଚାହିଁ ବନ ବିଲ ପାହାଡ଼ ମାଳା,

 

ତାହା ତୁଲେ କେତେ ବୁଲି ମୁଁ ଆସିଚି

 

ଗୋଟି ଗୋଟି ମନେ ପଡ଼ଇ ପରା !

 

ଏ ନଈ ପୁଳିନେ ବୁଲିଚି ମୁଁ କେତେ

 

ବସିଚି ତା’ ତୁଲେ ଏ ଗିରି ଚୂଳେ

 

ମଧୁ ଆଳାପନେ କେତେ ନିଶିଥିନୀ

 

କାଟିଚି ମୁଁ ଏଇ ସରସୀ କୂଳେ;

ଏକାକୀ କୁଟୀରେ ବସି ମୁଁ ରହିଚି

ଚାହିଁ ବନ ବିଲ ପାହାଡ଼ ମାଳା

ମରମେ ମରମେ କି ଆଘାତ ହାଣେ

ତାରି ସେ ଟିକକ ପରାଣ ଭାରା !

ରସନାରୁ ତାର ଫୁଟତ ନଥିବ

ପ୍ରାଣବୋଳା ସେ ଯେ ମୋହନ କଥା,

ମୁହଁ ମାଡ଼ି କାହିଁ ପଡ଼ିଥିବ ଶୋଇ

ଘନୁ ଘନ ହେଲେ ମରମ ବ୍ୟଥା !

 

ଏକାକୀ କୁଟୀରେ ବସି ମୁଁ ରହିଚି

 

ଚାହିଁ ବନ ବିଲ ପାହାଡ଼ ମାଳା,

 

ଏଇ କାଲି ପରି ହସି ଖେଳି ସେ’ତ

 

ମେଲିଥିଲା ତା’ର ଜୀବନ ଧାରା ।

 

ଏବେ ସେ କେଉଁଠି କାହା ପାଦତଳେ

 

ରହିଥିବ ନିକି ? ପତାଇ ହାତ,

 

ବାଧୁଥିବ ତା’ରେ ନିବିଡ଼ୁ ନିବିଡ଼େ

 

ରହିଥିବ କିବା ପାଲଟି କାଠ ?

ଏକାକୀ କୁଟୀରେ ବସି ମୁଁ ରହିଚି

ଚାହିଁ ବନ ବିଲ ପାହାଡ଼ ମାଳା,

ଟିକିଏ ଦେଖନ୍ତି, ପଚାରି ବୁଝନ୍ତି

କିଭଳି ସେ ଅଛି ଜୀବନ ସାରା ?

କେତେ ଆଶା କେତେ ମଧୁ-କଳପନା

ପ୍ରାଣେ ଫୁଟି ପ୍ରାଣୁ ଯିବଣି ଝଡ଼ି,

ବିଜନ ନିମିଷେ ବସିଥିଲେ ଏକା

ଯାଉଥିବ ମୋରେ ବିକଳେ ଭାଳି ।

 

ଏକାକୀ କୁଟୀରେ ବସି ମୁଁ ରହିଚି

 

ଚାହିଁ ବନ ବିଲ ପାହାଡ଼ ମାଳା,

 

ଆଉ ତ ତାହାରେ ଦେଖିବି ନାଇଁ ମୁଁ,

 

ଦେଖିଲେ ଦେଖିବି ତା’ ହୃଦ ଜାଳା ।

 

ଦେଖିବିନି ତାର ମୃଦୁ ମଧୁ ହାସ,

 

ଦେଖିବିନି ତା’ର କେଶରୀ ଠାଣି,

 

ଦେଖିଲେ ଦେଖିବି ପ୍ରାଣହୀନ ପରି

 

ତା’ ରୂପ ତା’ ତେଜ, ତା’ ଓଠ ବାଣୀ !

ଏକାକୀ କୁଟୀରେ ବସି ମୁଁ ରହିଚି

ଚାହିଁ ବନ ବିଲ ପାହାଡ଼ ମାଳା,

କି ଲାଭ ତା’ ପାଇଁ ନୟନୁ ବରଜି

ସୀମାହୀନ ଏତେ ଲୋତକ ଧାରା ।

ଫେରିଲେ ଫେରିବ ଫେରିବାର ପରି ?

ଆଉ କି ଫେରିବ ଅଛି କି ଆଶ ?

ଫେରିଲେ ଫେରିବ, ସେଇ ଫେରିବାରେ

ଘନୁ ଘନ ସିନା ବଢ଼ିବ ପ୍ରାସ ।

 

ଏକାକୀ କୁଟୀରେ ବସି ମୁଁ ରହିଚି

 

ଚାହିଁ ବନ ବିଲ ପାହାଡ଼ ମାଳା,

 

କାହା ଆଶ୍ରାରେ କିଭଳି ଥିବଟି ?

 

ସହି ସେ ପାରେନି ଟିକିଏ ଜାଳା !

 

କିଏ ହତାଦର କରୁଥିବେ ଯେବେ

 

ବୋଲୁଥିବେ ଯେବେ କଠୋର ବାଣୀ,

 

କାନ୍ଦ କାନ୍ଦ ହୋଇ ଚାହିଁ ରହିଥିବ

 

ଧରାରେ କେଡ଼େ ସେ ଅଭାଗା ପ୍ରାଣୀ !

ଏକାକୀ କୁଟୀରେ ବସି ମୁଁ ରହିଚି

ଚାହିଁ ବନ ବିଲ ପାହାଡ଼ ମାଳା,

ଯିବା ଦିନୁ ତା’ରେ ଦେଖିନି ନିମିଷେ

ଜାଣିଚି ମୁଁ ତା’ର ପରାଣ-ଭାରା ।

ବଡ଼ ଭଲ ସିଏ ତାହାଭଳି ଜଣେ

ମହି ମଣ୍ଡଳେ ନାହିଁତ କେହି

ସୁଖେ ଦୁଖେ ସେ ତ ସବୁରି ସାହକ

ହୃଦ ଚିରି ମଧୁ ପାରିଚି ଦେଇ;

 

ଏକାକୀ କୁଟୀରେ ଚାହିଁ ମୁଁ ରହିଚି

 

ଚାହିଁ ବନ ବିଲ ପାହାଡ଼ ମାଳା,

 

ଦେଖା ଦେଖି କେବେ ହେବ ଏ ଜୀବନେ

 

ତହିଁରେ କି ଥିବ ସୋହାଗ ଧାରା ?

 

ଗଲାବେଳେ ତାରେ ପଦିଏ କହିନି

 

ଦେଖିନି କେବେ ସେ କିଭଳି ଗଲା

 

କି ଥିଲା ବା ଏଥି ପଡ଼ି ରହିବାକୁ

 

ନ ଯିବାରୁ ବଳି କି ଥିଲା ଚାରା ?

ଏକାକୀ କୁଟୀରେ ବସି ମୁଁ ରହିଚି

ଚାହିଁ ବନ ବିଲ ପାହାଡ଼ ମାଳା

ଲୁହ ଢାଳି ଢାଳି ଛାଡ଼ିଚି କୁଟୀର

ପୁଣି ଲୁହ ଆଖେ ଫେରିବ ପରା !

କିଭଳି ତାହାରେ ପାରିବି ମୁଁ ଚାହିଁ

କି ବାରତା ସିଏ କହିବ ମତେ,

ଗୋଟିଏତ ଫୁଲ ଫୁଟି ପାରିଲାନି

ଚାଲି ସେ ଆସିଚି ସେ ଯେଉଁ ପଥେ ।

Image

 

ବିଜନ-କୁଟୀରେ

 

କିପରି ଆଜି ଏ ବିଜନ କୁଟୀରେ ଏକାକୀ ପାରିବି ରହି ?

କିଏ କାହିଁ ଗଲ ଜୀବନ ଦୋସର ଏତେ ଯେ ମମତା ବହି !

ଗୋଟିଏ ଗୋଟିକି ବଳି ମୋ ନିଜର ଶୋଣିତରୁ ବଳି ବଡ଼ !

ଆଖିରେ ଆଖିରେ ମୁହଁ ହାତ ପାଦ ଦିଶିଯାଏ ସକଳର ।

ଶୁଣିଲା ପରାଏ ଶୁଭିଯାଏ କାନେ ସବୁରି ଅଧର ବାଣୀ,

କେତେ ହସଖେଳ ମୋହନ ମମତା ଅନୁଭବେ ଦିବା ଯାମୀ !

ଗୋଟି ଗୋଟି ହୋଇ କିଏ କାହିଁ ଗଲ ଏକା କରିଦେଇ ମତେ,

ଚାହିଁ ମୁଁ ରହିଚି ବିଲ ବନ ନଈ ଏ ପାହାଡ଼ ପରବତେ;

ଚାରିଆଡ଼େ ଚାହେଁ ନୀରବେ ମଉନେ ଏ କୁଟୀରେ ବସି ଏକା,

ଲୋଡ଼ିହୁଏ କେତେ ହୁଅନ୍ତା ଅବା କା’ତୁଲେ ଟିକିଏ ଦେଖା ।

ଥିଲାବେଳେ ଥିଲ କି ଶିରୀ ଦେଇ ସେ ହସ ଖେଳ କଉତୁକେ,

ତହିଁରୁ ଟୋପାଏ ପାଆନ୍ତି ହେଲେ ଏ ମରୁ ବିଜନ ବୁକେ !

ପଶିଲେ ଏ ଘରେ ପଶି ମୁଁ ପାରୁନି ରହି ମୁଁ ପାରୁନି କ୍ଷଣେ,

ଚାହିଁ ମୁଁ ପାରୁନି ଲୁହ ଛଳ ଛଳ ହୋଇ ଆସେ ଦି’ ନୟନେ !

ବୁକୁର ସେ କେଉଁ ଗୋପନ ପୁରେ କି ଆଘାତ ଯେ ଉଠେ ବାଜି,

ହରାଇ ବସିଚି କେତେ ଯୁଗ ପାଇଁ କି ଶିରୀ ବିଭବ ରାଜି !

 

କିପରି ଆଜି ଏ ବିଜନ କୁଟୀରେ ଏକାକୀ ପାରିବି ରହି ?

କିଏ କାହିଁ ଗଲ ଜୀବନ ଦୋସର ଏତେ ଯେ ମମତା ବହି ।

କିପରି ଆଜି ଏ ବିଜନ କୁଟୀରେ ଏକାକୀ ପାରିବି ରହି ?

ଗୋଟି ଗୋଟି ହୋଇ ପଡ଼ିଯାଏ ମନେ ସବୁରି ପରାଣ ଛଇ

କିବା ଦିନରାତି ପ୍ରତି ନିମେଷର ଗୋଟି ଗୋଟି କେତେ କଥା

ହୃଦୟ ଫଳକେ ଉଇଁ ଉଇଁ ଆସେ ଦେଇ କି ମଧୁର ବ୍ୟଥା !

ହୃଦୟ ବେଦୀରେ ବସାଇଚ କିଏ କେତେ ଯେ ସୋହାଗ ଭରେ

ମୁରୁଛି ପାରିଲେ ପାରିବ ମୁରୁଛି ? ମନେ ହୁଏ ନାଇଁ ଥରେ ।

ବାପ ମାଆ ଭାଇ ଭଉଣୀ ଏ ଯେତେ ଶୋଣିତ ମମତା ଏଡ଼ି

ବାନ୍ଧି ପାରିଚ ପତାଇ ସେ କେଉଁ ପରାଣ ମୋହନ ବେଡ଼ି !

ଦିନେ ନ ଦେଖିଲେ ଆରଦିନ କିବା ଅପଲକେ ଅଛ ଚାହିଁ

ସଖା ସହୋଦର ପଚାରି ପଚାରି ଆଜିକି ଫେରିବେ ନାଇଁ ?

ଦୂରୁ ଆସିବାର ଫେରି ଏ କୁଟୀରେ ଚାହିଁ ଦେଲେ ବାତାୟନେ,

କି ଶିରୀ ବିଭବ ପାଇବାର ପରି ଅନୁଭବ ଜଣୁ ଜଣେ !

କି ମୋହନ ହସ ଫୁଟାଇ ଅଧରେ କି ମୋହନ ବାଣୀ ଭାଷି,

ସୁଖ ଓ ଦୁଃଖ ପଚାରି ଯାଆ ମୋ ଗୋଟି ଗୋଟି ତୁମେ ଆସି !

ଆଣିଥାଏ ବାଟୁ କଦଳୀ କମଳା ହାତେ ଦିଏ ତବ ଭରି

ଦର ସଂକୋଚେ କେ’ କେତେ ନେଇଚ ନିଜରୁ ନିଜର କରି !

କିପରି ଆଜି ଏ ବିଜନ କୁଟୀରେ ଏକାକୀ ପାରିବି ରହି ?

ଗୋଟି ଗୋଟି ହୋଇ ପଡ଼ିଯାଏ ମନେ ସବୁରି ପରାଣ ଛଇ !

କିପରି ଆଜି ଏ ବିଜନ କୁଟୀରେ ଏକାକୀ ପାରିବି ରହି ?

କା’ପୁଲକ ଶିରୀ ଟିକକ ଭିତରେ ମୁଗ୍‌ଧ ମୁଁ ଯିବି ହୋଇ !

କାହା ଗଉରବେ ଉଲୁସି ଉଠିବି ବିସୋରି ପରାଣ ଭାରା ?

ପୋଛିଦେବି ଯେବେ ନୟନୁ ବୋହିବ ଅକଳନ ବାରି ଧାରା ।

କାହାଲାଗି ପାତି ରଖିବି ଏ ବୁକୁ କିଏ ଗଲ କେଉଁ ଆଡ଼େ ?

କେତେ ମୁଁ ଖୋଜୁଛି କରମେ ବିରାମେ ନୟନ ଲୋତକ ଧାରେ ।

କେତେ ମୁଁ ଦେଖୁଛି ପରାଣ ମୋହନ ସପନ ତୁମରି ଲାଗି,

ନିମିଷୁ ନିମିଷେ କେତେ ଆପଣାର ପରି ଉଠୁଅଛ ଜାଗି !

ତୁମରେ ନେଇ ମୋ ଏ ଜୀବନ ଗଢ଼ା ତୁମ ବିନେ କାହିଁ ମୁହିଁ ?

କିଏ ଅଛି ମୋର ଏ ବୁକୁତନ୍ତ୍ରୀ ସରାଗେ ପାରିବ ଛୁଇଁ ?

କେ ମୋରେ ବୁଝିବ, ବୁଝିବି ମୁଁ କାରେ ସୁଖ ଦୁଃଖ ନିଯାତନେ,

ପରାଣର ସୁଧା କେ’ କାରେ ବାଢ଼ିବ ନିମିଷକ ଆଳାପନେ !

ଯେତେ ଯେତେ ଦିନ ବିତି ଯାଉଥିବ କାଳର କପାଳ ତଳେ,

ସେତେ ସେ ଅତୀତ ମୋହନୁ ମୋହନ ଦିଶୁଥିବ ନୟନରେ !!

ପ୍ରତି ଲୁହ ଟୋପା ଭିତରେ ତୁମେ ଯେ ଆସୁଥିବ ଢଳି ଢଳି

ଯିଏ ଯହିଁ ଥାଅ ମୋ ବୁକୁ ଶୋଣିତ ଆଦର କନକ-କଳି,

କିପରି ଆଜି ଏ ବିଜନ କୁଟୀରେ ଏକାକୀ ପାରିବି ରହି,

କା’ ପୁଲକ ଶିରୀ ଟିକକ ଭିତରେ ମୁଗ୍‌ଧ ମୁଁ ଯିବି ହୋଇ !

କିପରି ଆଜିଏ ବିଜନ କୁଟୀରେ ଏକାକୀ ପାରିବି ରହି ?

କିଏ ସେ ଶୁଣିବ ? କାହା କାନେ ଏ ମୋ ବାରତା ମୁଁ ଯିବି କହି ?

ଯିଏ ଯହିଁ ତୁମେ ଯାଇଛ ତ ଚାଲି ଯାଅ ଗୋଟି ଗୋଟି ହୋଇ

ପଡ଼ି ରହି ଥିବି, ପାରିବିକି ରହି ? ମୋ ବ୍ୟଥା ଟିକକ ବହି !

ବୁଲି କି ପାରିବି ମନ ବିନୋଦନେ ଏ ଚିର ସବୁଜ ଭୂଇଁ

ଯେ ଶିରୀ ପରାଣେ ଆହରି ପାରିଚି, ଆଉ ବି ପାରିବି ମୁହିଁ ?

ମୋର ହୋଇ ଯେବେ ରହିଚ କେଉଁଠି ଜାଣିକି ପାରୁଚ ମତେ ?

ଏ ହିଆର ପ୍ରତି ରେଣୁରେ ରେଣୁରେ କି ଭଳି ମିଶିଛ ସତେ !

ଏ ଜୀବନେ କେବେ ଦେଖା ହୋଇପାରେ ଅଥବା ନ ହୋଇପାରେ,

ତୁମେ ମୁହିଁ କିଏ କେଉଁଠି ରହିବା ସେ କେଉଁ ସରଣୀ ଧାରେ

ଏ କୁଟୀର ଯାହା ଏତେ ମମତାର ଦିଶେ ପ୍ରତିମାଟି ପରି,

କାଳର କପାଳେ ନିଭିଯାଇ ପାରେ ଭୂତଳ ଶୟନ ବରି ।

ହେଲେ ତୁମ ମୋହ ଭିତରେ ଯେ ଟିକ ପରାଣର ଦିଆନିଆ

ପାଲଟି ପାରିବ ମରୁ କି ସହଜେ ଜାଳି ଡହ ଡହ ନିଆଁ ?

ତୁମେ କାହିଁ ଯିବ, ମୁହିଁ କାହିଁ ଯିବି, ଯିବ ଏ କୁଟୀର କାହିଁ ,

ତୁମେ ମୋ ଭିତରେ, ମୁଁ ତୁମ ଭିତରେ ସତେ କି ରହିବା ନାଇଁ ??

କିପରି ଆଜି ଏ ବିଜନ କୁଟୀରେ ଏକାକୀ ପାରିବି ରହି ?

କିଏ ସେ ଶୁଣିବ ? କାହା କାନେ ଏ ମୋ ବାରତା ମୁଁ ଯିବି କହି !

Image

 

ଆସିଥିଲି

 

ସେ ଦିନ ମୁଁ ଆସିଥିଲି ଚାଲିଗଲି ଫେରିଗଲି

ମାନହୀନ ହୋଇ,

ମୋର ଯେହ୍ନେ ଏ ମାଟି ଉପରେ

ଆସିବାର ରହିବାର ଅଧିକାର ନାଇଁ !

ଏଇ ବନ ପାହାଡ଼ ପ୍ରାନ୍ତର

ସୀମାହୀନ ଶ୍ୟାମଳ ସମ୍ପଦେ

ନିମିଷେ ମୁଁ ସୁହାଗେ ବିହରି

ପରିଚିତ ବନ୍ଧୁ ଜନ ତୁଲେ

ହେଲି ନାଇଁ ହେଲେ କଥା ପଦେ !

କିଏ ମୋରେ ଆପଣାର କରି

ଡାକିଲେନି,

ପାରିଲେନି ଡାକି

ସବୁରିକୁ ସତୃଷ୍ଣ ନୟନେ ଚାହିଁ

ଯାଉଥିଲି ସକଳର

ଆଦର ଓ ମମତାରେ ମାଗି !

ଆସିଥିଲି, ଆସିଥିଲି,

ଗୋଟିଏ ମୁହୂର୍ତ୍ତ ହେଲେ ରହିଥାନ୍ତି !

ମୋର ଆସିବାର

ଅମୃତ ଉଦ୍ଦେଶ୍ୟରେ

କିଏ କଲା ବିଷର ଉଦ୍‌ଗାର ?

ନୀରବେ ଲୋତକଟିଏ

ଲୋଚନୁ ନିଗାଡ଼ି–

ସବୁରି ଅଜ୍ଞାତେ

ପାଦଚାଳି ଫେରିଗଲି,

ଚାହିଁ ଲିନି ଲେଉଟି ମୁଁ ,

ଦେଖିଅଛି ଏ ପଥ ପ୍ରାନ୍ତର,

ଦେଖିଚି ଏ ବନକୁଞ୍ଜ ଭୂମି,

ଦେଖିଚି ଏ ଶିଖରୀ ଶିଖର,

ହୃଦୟର ନିବିଡ଼ ବନ୍ଧନେ

ମୋ ଜୀବନ ବନ୍ଧା ଯାହା ସାଥେ !

ସେ ଦିନ ମୁଁ ଆସିଥିଲି

ଗୋଟିଏ ମୁହୂର୍ତ୍ତ ପାଇଁ,

ଟିକିଏ ସମ୍ମାନ ଦେଇ,

ଟିକିଏ ସେନେହ ଦେଇ

ଟିକିଏ ଆପଣାର କରି,

କେହି ମୋରେ

ପାଖରେ ତ ବସାଇଲେ ନାହିଁ !

ଗୋଟିଏ ଅରକ୍ଷ ନିଃସ୍ୱ ପ୍ରାଣୀ ପରି

ରହିଥିଲ ଚାହିଁ !!

ଆସିଥିଲି ହସିବାକୁ ମନ ବିନୋଦନେ,

ଆସିଥିଲି ଜୀବନକୁ କରିବାକୁ ରସବନ୍ତ

କାହାର ବା ପଦିକ ବଚନେ,

ଆସିଥିଲି କାହାଠାରୁ

ଆଶାର ମୋହନ ବାଣୀ

ଶୁଣିବାର ଲାଗି,

ଆସିଥିଲି ଫେରିଗଲି

କିନ୍ତୁ ଚିରଦିନ ପାଇଁ

ନଥିଲି ମୁଁ ଫେରି !

ଆସିଥିଲି ଫେରିଗଲି ଫେରିଗଲି, ଫେରିଗଲି,

ମୋର ଯେହ୍ନେ ଏଇ ମାଟି ନୁହେ

ନୁହେ ୟାର ହସଖେଳ ଆନନ୍ଦ ଉତ୍ସବ

ଜୟ ପରାଜୟ

ମୋର ଏକାନ୍ତ ନିଜର ।

ମୁଁ ଯେହ୍ନେ କେଉଁ ଦୂରଚାରୀ ବିହଗଟି ପରି

ଆସିଅଛି ଉଡ଼ି

ନିମିଷକ ପରେ

ଉଡ଼ିଯିବି କେଉଁ ଦୂର ଦେଶାନ୍ତର !

ଆସିଥିଲି ଫେରିଗଲି,

କାହାଠାରୁ ଫେରିଗଲି ?

କାହା ପାଇଁ ଆସିଥିଲି

କାହାର ଆକର୍ଷଣ

ମୋରେ କରିଥିଲା ଅନ୍ଧ ଓ ପାଗଳ

କା’ପାଇଁ କରିବି ଦୁଃଖ ?

ଆସିଥିଲି ଫେରିଗଲି

ଫେରି ବି ପାରିଲି ?

ଯାହାର ହୃଦୟ ତନ୍ତ୍ରୀରେ

ବାଜେ ମୋର ବୀଣା

ନିରନ୍ତର !!

ଆସିଥିଲି, ଫେରିଗଲି, ଫେରିଗଲି, ଫେରିଗଲି,

ମୋର ପ୍ରାଣଭରା ଅଭିମାନ;

ବିଜନ ବନ୍ଦୀଟି ପରି

ରହିଲା ଯେ କେତେକାଳ

ପାଇଲାନି ଆଦର ସମ୍ମାନ !

ଆସିଥିଲି ଫେରିଗଲି, ଫେରିଗଲି

ମୃତ ବା ମୁମୂର୍ଷୁ ପରି ଫେରିଗଲି,

ତୁମେ ସବୁ ଫେରିଯିବ,

ତୁମେ କେଉଁଆଡ଼େ ଫେରିଯିବ, ଦିନେ

ମୁଁ କିନ୍ତୁ ପାରିବି ନାଇଁ ଫେରି

ମୁଁ ରହିଥିବି, ମୋର ଚାରିପାଖେ

ଏ ପାହାଡ଼ ପ୍ରାନ୍ତର

ଏ ବନ କୁଞ୍ଜଲତା

ଏହି ପଥଘାଟ

ଏ ସାଇ ପଡ଼ିଶା ଗାଁଆ

ଏଇ ହସ ଖେଳ ବିଜୟ ଗୌରବ

ଏଇ ପ୍ରିୟଜନ ପରିଜନ

ରହିଥିବେ ଘେରି !

ଆସିଥିଲି ଆସିଥିଲି

ଫେରିଗଲି ଫେରିଗଲି

କିନ୍ତୁ ପାରିଲିନି ଫେରି,

ପାରିବିନି ଫେରି

କାହାର ଏ ଆକର୍ଷଣ ?

କାହାର ବିରାଟ ବିପୁଳ ସ୍ପର୍ଶ

ଭିତରେ ମୁଁ କାହା ସ୍ୱପ୍ନ ଦେଖୁଥିବି

କିଏ ମତେ ଚିରଦିନି

ଏ ରାଜ ରାସ୍ତାରେ ଅନନ୍ତ ମମତା ଦେଇ

ରହିଥିବ ବେଢ଼ି !

ପାରିବିନି ଫେରି !

ପାରିବିନି ଫେରି ?

ଆସିଥିଲି ଏ ମାଟିର ବିଲ ବଣ ଗଛପତ୍ର

ପାହାଡ଼ ପ୍ରାନ୍ତରେ

ଜୀବନ୍ତୁ ଜୀବନ୍ତୁ ହୋଇ

ଉଠିବାକୁ ଜାଗି !

ଆସିଥିଲି ଆସିଥିଲି

ଆସି ତ ନଥିଲି

କେଉଁ ଦୂରଭିସନ୍ଧିର

ବିଷ ପାତ୍ର ଧରି,

ମୋରେ କିମ୍ପା ଚାହିଁ ଲନି ?

ମୁଁ ତୁମର ଶତ୍ରୁ ନୁହେଁ

ମିତ୍ର ନୁହେ

କିନ୍ତୁ ଏ ମହା ବିଶ୍ୱର

ଅନନ୍ତ ଜୀବନ ମେଳେ

ଗୋଟିଏ ତ କ୍ଷୁଦ୍ର ରେଣୁ

ଠିକ୍‌ ତୁମ ପରି !

ଆସିଥିଲି ! ଆସିଥିଲି ! ଫେରିଗଲି ! ଫେରିଗଲି !

କିନ୍ତୁ ମୁଁ

ନିଆଶାରେ ନ ଥିଲି ତ ଫେରି,

କାହିଁକି ବା ଆସିବନି ଆଶା ?

ମୋହ ଲାଗି ସ୍ରୋତ ଅମୃତର

ଯେବେ କେଉଁ ଗୋପନ ପରାଣ ପୁରେ

ଅବିରତ ଯାଉଅଛି ଖେଳି !

Image

 

କିଏ ଶୁଣୁଛି ତା ଡାକ

 

ଧୂଳି ବାଲି ଛେପ ଖଙ୍କାର ଉପରେ

ଗୁରୁଣ୍ଡି ଗୁରୁଣ୍ଡି ଚାଲିଚି ସେ ରାସ୍ତାର ଛକକୁ

ଯେଉଁଠି ମଟର ବସ ହୋଇଅଛି ଠିଆ

ମାଗିବ କାହାକୁ କିଛି

ହାତ ପାତି

ତାର ଦୁନିଆରେ କେହି ନାଇଁ

ସାହା ସାଥୀ ।

ହାଡ଼ିଆଣୀଟି ଓଳାଉଚି ରାସ୍ତା ହାତେ ଧରି ଝାଡ଼ୁ,

ସବୁ ଧୂଳି ବାଲି ଉଡ଼ି ଉଡ଼ି

ପଡ଼ୁଛି ତା’ ଦେହେ ମୁଣ୍ଡେ

‘ଓହୋ ! ରହିଯା ଟିକିଏ’

କିଏ ଶୁଣୁଛି ତା’ କଥା ?

ହାଡ଼ିଆଣୀ ଭାଳିଥିବ–

ଗୋଟିଏ ଜନ୍ତୁ ବିରାଡ଼ି କୁକୁର ପରି

ଚାଲିଚି ରାସ୍ତାରେ ଅବା !

ଓହୋ ! ରହିଯା ଟିକିଏ

ଦିହମୁଣ୍ଡ ହୋଇଗଲା ବାଲି ସରସର

ନିଃଶ୍ୱାସ ବି ରୁନ୍ଧି ହୋଇଯାଏ ।

ଉତ୍ତର ଆସୁଚି

‘ତୋ ପାଇଁ କାମ ବନ୍ଦ

କରିବି ନା କଣ ?

ନ ଆସେ ଇ’ ବାଟେ’’

ବିଚାରା ପଙ୍ଗୁ ଅସମର୍ଥ ରୁଗ୍‌ଣ ବୁଢ଼ାଟି

ସେଇ ରାସ୍ତାର ଧୂଳି ବାଲିରେ ପୋତି ହୋଇ

ବସି ରହିଚି, ଶୀର୍ଣ୍ଣ ଆଖି ଦୁଇଟିରୁ

ଲୁହଟିଏ ପୋଛି ଦେଇ;

‘‘ଟିକିଏ ରହ’’

ପୁଣି କହୁଚି ଶିଶୁପରି

ବଡ଼ ନିରାଶ୍ରୟ ଓ ନିରାଶ କଣ୍ଠରେ !

ତଥାପି ଧୂଳି ବାଲି

ତୁହାକୁ ତୁହା ଉଡ଼ି ଆସୁଚି

ହାଡ଼ିଆଣୀର ଉଦ୍ଧତ ଝାଡ଼ୁରେ

ଅସମର୍ଥର ବେଦନାଭରା ଡାକରେ

ଓଜନ ନାଇଁ ପରା !

ସେ ଏ ରାସ୍ତାର ପଥିକ ନୁହେ ।

Image

 

ଭଗ୍ନ-କୁଟୀର

 

କାହାର କୁଟୀର ଭାଙ୍ଗି ପଡ଼ିଚି କିଏ ଏଥି ଥିଲା ରହି ?

ଯାଇଚି ସେ କାହିଁ ? ଯାଇଚି ସେ କାହିଁ ? କିଏସେ ପାରିବ କହି ?

ବାରି ପଟେ ତାର ବରକୋଳି ଗଛ କ୍ଷୁଦ୍ର ଗଡ଼ିଆଟିଏ,

ଦାଣ୍ଡ ପଟକୁ ପଥର ପାହାଚ ଦୁଦୁରା ଉଠିଚି ଡିହେ ।

କାନ୍ଥରୁ ଅଧା ଭାଙ୍ଗି ପଡ଼ିଚି ଅଧା ହୋଇଅଛି ଠିଆ,

କଣ୍ଟା ମାରିସ କାନ୍ଥର ତଳେ ମେଲାଇଚି ତାର ହିଆ ।

ଡିହ ଚାରିଆଡ଼େ ବୁଲି ମୁଁ ଯାଉଚି ସତେ କେ ମୋ ଆପଣାର

ରହିଥିଲା-ଏଥି ସରାଗେ ଖେଳାଇ କ୍ଷୁଦ୍ର ତା ପରିବାର ।

କାନ୍ଥର ଦେହେ ଷଠୀବୁଢ଼ୀ ଘରା ଚିହ୍ନାଇ ଦିଏ ମତେ,

ପୁଅ ତାର ଥିଲା, ଝିଅ ତାର ଥିଲା, ତିନି ଚାରିଜଣ ସତେ !

କାହାର କୁଟୀର ଭାଙ୍ଗି ପଡ଼ିଚି, କିଏ ଏଥି ଥିଲା ରହି ?

ଯାଇଚି ସେ କାହିଁ ? ଯାଇଚି ସେ କାହିଁ ? କିଏସେ ପାରିବ କହି ?

ଦିନ ଥିବ ଦିନେ ହସୁଥିବ ତାର କ୍ଷୁଦ୍ର କୁଟୀର ଏଇ,

ଫାଟି ପଡ଼ୁଥିବ ତା ବାରି ବଗିଚା ଫଳ ଓ ପୁଷ୍ପ ନେଇ ।

ଦୁଧିଆଳୀ ଗାଇ ଥିବେ ଏକ ଦୁଇ ଧଉଳି ଚାନ୍ଦ ନାମେ,

ଥିବେ ତାର ସତେ ଦି’ହଳ ବଳଦ ଯାଉଥିବେ ନିତି କାମେ ।

ଗୋଧନେ ଗୁହାଳ ପୂରି ଉଠୁଥିବ ଚାହିଁ ଦେଲେ ଚାହିଁ ଦେଲେ,

ଝଟା ଫଳିଥିବ ଅଗଣା ମଝିରେ ରଞ୍ଜା ଉପରେ ତଳେ ।

ତରୁଣୀ ଭାରିଯା ଛୁଆଟିକୁ ତାର କରୁଥିବ କେତେ ଗେଲ,

ବଡ଼ ହେଲେ ଦିନେ ଚଢ଼ିବୁ ବାବୁରେ ଚାହାଁଏ ଯାଉଚି ରେଳ !

ଚାହଁ। ଧନମାଳୀ ନଈ ସେପାରିକି ଆସୁଛନ୍ତି ତୋର ବାଆ,

ତାଂକୁଇଁ ଚାହିଁ ଟିକି ହାତଟିରେ ଠାରି ଡାକେ ଆ ଆ ।

କାହାର କୁଟୀର ଭାଙ୍ଗି ପଡ଼ିଚି କିଏ ଏଠି ଥିଲା ରହି

ଯାଇଚି ସେ କାହିଁ ? ଯାଇଚି ସେ କାହିଁ ? କିଏସେ ପାରିବ କହି ?

ଦିନ ଥିବ ଦିନେ ଏ କାନ୍ଥବାଡ଼ ଏଇ ଅଗଣାର ପରେ

ଜୀବନର ଦୀପ ଜଳି ଉଠୁଥିବ ସକଳ ମୁହୂର୍ତ୍ତରେ ।

ତା ଘର ଘରଣୀ ଚିତା ଲେଖୁଥିବ କାନ୍ଥରେ କେତେ ଭିନେ,

କେତେ କଳ୍ପନା ନାଚି ଯାଉଥିବ ତା ବୁକୁ ଭିତରେ ଦିନେ ।

ଧାନକୋଠି କାହିଁ ଲେଖି ଦେଇ ତହିଁ ଭରି ଦେଉଥିବ ଧାନ,

ପଦ୍ମ କେଉଁଠି ଲେଖୁଥିବ ଭରି ତା ସକଳ ମନପ୍ରାଣ ।

ସାଇ ପଡ଼ିଶାର ସାଥୀ ସଙ୍ଗାତେ ଆଦରେ ସୋହାଗେ ଡାକି,

କହୁଥିବ ଯୋଡ଼େ ହାତୀ ଲେଖି ଦିଅ ଆସିଲାନି ଅଛି ବାକୀ ।

ଏଇ ଅଗଣାରେ କୁନି ପୁଷିଟିକୁ ଦୁଧ ସଢ଼େଇରେ ଦେଇ,

ଦେଖୁଥିବ ସିଏ ଖାଉଚି କିଭଳି ଚାକୁରୁ ଚାକୁରୁ ହେଇ ।

କାହାର କୁଟୀର ଭାଙ୍ଗି ପଡ଼ିଛି କିଏ ଏଥି ଥିଲା ରହି

ଯାଇଚି ସେ କାହିଁ ? ଯାଇଚି ସେ କାହିଁ ? କିଏସେ ପାରିବ କହି ?

କାହାର କୁଟୀର ଭାଙ୍ଗି ପଡ଼ିଚି ଚାରିଆଡ଼ ଖାଲି ପଦା,

ସନ୍ଧ୍ୟାରେ ଯହିଁ ବଣର ହିଂସ୍ରଜନ୍ତୁ ହୁଅନ୍ତି ଗଦା ।

ଶ୍ମଶାନ ପରି ରହିଅଛି ପଡ଼ି, ହୋଇ କେତେ ପ୍ରାଣହୀନ !

ବକ୍ଷେ ରଖିଚି ଭରି ଅତୀତର ସ୍ମୃତିଟିକ ଅତି କ୍ଷୀଣ ।

ଦେଖିଥିବ ଏଇ କାନ୍ଥ ଓ ବାଡ଼ ଦେଖିଥିବ ଏଇ ମାଟି,

କେତେ ଜୀବନର ଅମୃତ ଲୀଳା ପଡ଼ୁଥିବ ଏଥି ଫାଟି ।

କେତେ ସେନେହରେ ହେଉଥିବ ଏଥି ଦିଆ ନିଆ କୁତୁହଳେ,

କେତେ ମାୟା କେତେ ମମତା କିଏସେ ରଖିଥିବ କାହାପରେ !

କେତେ କା ନୟନୁ ଲୁହ ଝରିଥିବ ସିକ୍ତ କରି ଏ ମାଟି,

କିଏ ଯେ କାହାର ହୋଇଥିବ ଏଥି ଜୀବନରୁ ବଳି ସାଥୀ ।

କାହାର କୁଟୀର ଭାଙ୍ଗି ପଡ଼ିଚି ଚାରିଆଡ଼େ ଖାଲି ପଦା,

ସନ୍ଧ୍ୟାରେ ଯହିଁ ବଣର ହିଂସ୍ରଜନ୍ତୁ ହୁଅନ୍ତି ଗଦା ।

କାହାର କୁଟୀର ଭାଙ୍ଗି ପଡ଼ିଚି ଭୂତର ଆବାସ ପରି,

ରହି ଅଛି ଖାଲି ପଡ଼ି ଅଛି ଖାଲି, ବରଷ ବରଷ ଧରି ।

ଅନ୍ଧାର ଯେବେ ମାଡ଼ି ଆସେ ଗାଏଁ ହୋଇଗଲେ ବେଳବୁଡ଼;

ଶୂନଶାନ ଯେବେ ହୋଇଯାଏ ଖାଲି ପଲ୍ଲୀର ଚଉପୁର,

ଟିକି ପିଲାଟିରେ ଡାକି ମାଆ କହେ ଚାହାଁନା ସେ ଡିହ ଆଡ଼େ,

ଭୂତ ବାହାରୁଚି କାଲି ମାରୁଥିଲା ଟେକା ଆମ ସିଝୁ ବାଡ଼େ ।

କିଏ କହେ ତହିଁ ଡାହାଣୀ ଆଲୁଅ ଖାଲି ରାତିଯାକ ଜଳେ,

କିଏ କହେ ତହିଁ କାଶୀଆ ମାଳୀକି ଜଗିଥିଲା କିଏ ଥରେ ।

କାହାର କୁଟୀର ଭାଙ୍ଗି ପଡ଼ିଚି, ହୋଇ କେଡ଼େ ହୀନିମାନ,

ପାଖ ତାର କେହି ମାଡ଼ନ୍ତି ନାଇଁ କେଡ଼େ ନିସ୍ତବଧ୍‌ ପ୍ରାଣ !

କାହାର କୁଟୀର ଭାଙ୍ଗି ପଡ଼ିଚି ଭୂତର ଆବାସ ପରି,

ରହି ଅଛି ଖାଲି, ପଡ଼ି ଅଛି ଖାଲି, ବରଷ ବରଷ ଧରି ।

କାହାର କୁଟୀର ଭାଙ୍ଗି ପଡ଼ିଚି, ଚାରିଆଡ଼ ଖାଲି ମେଲା,

ମୁଣ୍ଡର ଝାଳ ତୁଣ୍ଡରେ ମାରି କିଏ କରୁଥିଲା ଖେଳା ?

ଝଡ଼ି ବରଷାରେ ଶୀତ କାକରରେ ନିର୍ଧୁମ ଖରାବେଳେ;

ବିଲ ଓ ବାଡ଼ିରେ ବଣ ତଇଲାରେ କିଏ କାମ କରି ଫେରେ !

ଶାନ୍ତିର ଏଇ ଟିକି ଆଶ୍ରମେ ଆଶ୍ରୟ କିଏ ନେଇ,

ଜୀବନର କେତେ ମୁହୂର୍ତ୍ତ ଏଥି କାଟି ଦେଇଅଛି ସେଇ ।

କେତେ ବିପଦରେ କାହାର ହୋଇଛି ଅର୍ଦ୍ଧ ରାତିରେ ସାହା,

ସ୍ୱାର୍ଥର ଲବେ କଳୁଷ ବାସନା ବକ୍ଷେ ନ ବହି ଆହା ।

ସାରା ଜଗତକୁ ବନ୍ଧୁ କରିଚି, କରିଚି ନିଜର ସେଇ,

କହିଲେ କହିବ ଏ ମାଟି ଟିକକ କହିବେନି ଆଉ କେହି ।

କିଏ ସେ ତାହାକୁ ବୁଝୁ ବା ନବୁଝୁ ନାଇଁ ଦେଉ ପ୍ରତିଦାନ,

ସିଏ ବୁଝୁଥିଲା ତା’ ଶାଇ ପଡ଼ିଶା ତାହାରି ଗୋଟିକ ପ୍ରାଣ ।

କାହାର କୁଟୀର ଭାଙ୍ଗି ପଡ଼ିଛି କିଏ କେଉଁଆଡ଼େ ନାଇଁ,

କାହା ଲାଗି ମୁହିଁ ଠିଆହୋଇ ଏଥି ଝୁରି ହୁଏ କାହିଁ ପାଇଁ ?

କେଉଁ ଅଜ୍ଞାତ ଅତୀତର କୋଳେ ହୋଇଚି ବିଲୀନ ସିଏ,

ତଥାପି କାହିଁକି ଇଚ୍ଛା ମୋ ହୁଏ ଜାଣିବାକୁ ସିଏ କିଏ ?

ଦେଖି ପାରେ ମୁହିଁ, ଜାଣିପାରେ ମୁହିଁ, ବୁଝିପାରେ ମୁହିଁ ତାରେ,

ହସୁଥିଲା ସିଏ ମୋ ଓଠରେ ହସେ,

କାନ୍ଦୁଥିଲା ସେ, ମୋ ଆଖିର ଲୁହ ଧାରେ !

କଥା କହୁଥିଲା ମୋହରି ଭାଷାରେ ମୋ ବୁକୁର ଆଶା ଧରି,

ବଞ୍ଚି ଥିଲା ସେ ସୁଖେ ଓ ଦୁଃଖେ ଠିଇକି ମୋହରି ପରି ।

ମୋହ ପରି ସିଏ ଠିକ୍‌ ମୋହ ପରି ମୋହରି ସିଏତ ଖାଲି,

କିଭଳି ତାହାରେ ଯୁଗ ଯୁଗ ଧରି ହେବିନାଇଁ ମୁହିଁ ଭାଳି ?

କାହାର କୁଟୀର ଭାଙ୍ଗି ପଡ଼ିଚି କିଏ କେଉଁଆଡ଼େ ନାଇଁ,

ଭଗ୍ନ ଏ ମାଟି ଭିତରୁ ମୁଁ ଦେଖେ ରହିଚି ସେ ମୋହ ପାଇଁ !

Image